ଭୁବନେଶ୍ବର: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଗୁରୁବାର କାଳବୈଶାଖୀ ସହିତ ବର୍ଷା ଏବଂ ଘଡଘଡି ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ମହାରାଜପାଲ୍ଲୀ ଗ୍ରାମର ଏଙ୍କି ମାଡକାମୀ (୩୫)|
ସୂଚନା ଅନୁସାରେ ବର୍ଷା ହେବାରୁ ଏଙ୍କି ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ(୪୦) ଗାଁ ନିକଟରେ ବାଦାମ କ୍ଷେତରେ ଥିବା ଏକ କୁଡ଼ିଆରେ ରହି ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଏଙ୍କି ମାଡକାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଏହି ଖବର ସଂପର୍କରେ ଅବଗତ ହେଲା ପରେ ସ୍ୱାମୀଙ୍କୁ ଏମ୍. ଭି-୭୯ ମେଡିକାଲରେ ଚିକିତ୍ସିତ ପାଇଁ ଭର୍ତି କରିଥିଲେ। ତାଙ୍କର ଦୁଇ ପୁଅ ଝିଅ ରହିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।