ପାଟଣା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଯୋଗୁଁ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ବେସରକାରୀ ସୂତ୍ରର ଏହା କହୁଥିବା ବେଳେ ସରକାରୀ ତଥ୍ୟରେ ୨୫ଜଣଙ୍କର ପ୍ରାଣହାନୀ ଘଟିଥିବା କୁହାଯାଇଛି। ବେସରକାରୀ ତଥ୍ୟ ଅନୁସାରେ ନାଳନ୍ଦାରେ ସର୍ବାଧିକ ୨୨ ଜଣ ପ୍ରାଣ ହରାଇଛନ୍ତି। ଆରାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଦୁଇ କିମ୍ବା ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ କିଛି ସ୍ଥାନରେ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।
ଗୁରୁବାର ବିହାରର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିଲା। ଝଡ଼ ଏବଂ ବର୍ଷା ଯୋଗୁଁ ଗୁରୁବାର ରାତିରେ ଅନେକ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ହୋଇନଥିଲା। ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ବିହାର ସରିଫରେ ଗତ ୧୨ ଘଣ୍ଟା ଧରି ବିଦ୍ୟୁତ୍ ନାହିଁ। ଅନ୍ୟ ଅନେକ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି। ନାଳନ୍ଦାରେ ପ୍ରାୟ ଶହ ଶହ ବିଦ୍ୟୁତ୍ ଖୁଣ୍ଟ ଭୁଶୁଡ଼ି ପଡ଼ିଛି। ଅନେକ ଜିଲ୍ଲାରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି।
ଆଜି (ଶୁକ୍ରବାର) ବିହାରର ସମସ୍ତ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ପୂର୍ବରୁ, ଗତ ବୁଧବାର ବିହାରର ଚାରୋଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ରାଜ୍ୟରେ ଏପରି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ ନାଲନ୍ଦାରେ ୧୮ ଜଣ, ସିୱାନରେ ୨, କାଟିହାରରେ ୧, ଦର୍ବଙ୍ଗାଠାରେ ୧, ବେଗୁସରାଇରେ ୧, ଭାଗଲପୁରରେ ୧ ଏବଂ ଜେହାନାବାଦରେ ୧ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ପରିବାରକୁ ତୁରନ୍ତ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶରେ ୨୨ ଜଣଙ୍କର ମୃତ୍ୟୁ