ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉତ୍ତରକାଶୀ ଜିଲ୍ଲା ଧରାଳିରେ ଦୁଇଦିନ ପୂର୍ବରୁ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ରିଲିଫ କାର୍ଯ୍ୟ ପାଇଁ ଏକମାସର ଦରମା ଦାନ କରିବେ। ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବା ଲୋକଙ୍କ ପାଇଁ ସେ ମାସକ ଦରମାକୁ ଦାନ ସୂତ୍ରରେ ଦେବେ ବୋଲି ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଧରାଳିରେ ବାଦଲଫଟା ବର୍ଷା ପରେ ଦେଖାଯାଇଥିବା ବିପର୍ଯ୍ୟୟରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ।
ସିଏମ୍ଓ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଉତ୍ତରକାଶୀ ଜିଲ୍ଲାର ଧରାଳି ଏବଂ ହର୍ଷାଳି ଠାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସାଧାରଣ ଜନତା, ସ୍ବେଚ୍ଛାସେବୀ ସଂଗଠନଙ୍କୁ ସେ ଅନୁରୋଧ କରିଛନ୍ତି।
ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ର ୧୮ଟି ଟିମ୍ ନିୟୋଜିତ ଅଛନ୍ତି। ଏହି ଟିମ୍ଗୁଡ଼ିକ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି ବୋଲି ଏନ୍ଡିଆରଏଫ୍ ଡେପୁଟି ଇନ୍ସପେକ୍ଟର ଜେନେରାଲ ମୋହସେନ ଶହେଦୀ ସୂଚନା ଦେଇଛନ୍ତି। ଏନ୍ଡିଆରଏଫ୍ ଦ୍ବାରା ୨୭୪ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।
ବାଦଲଫଟା ବର୍ଷା ଓ ମୁସଳଧାରା ବର୍ଷାରେ ଉତ୍ତରକାଶୀର ଧରାଳି ଗାଁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏସଡିଆରଏଫ୍ ପକ୍ଷରୁ ଗୁରୁବାର କୁହାଯାଇଛି ଗଙ୍ଗୋତ୍ରୀ ନଦୀ କୂଳରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ବୋର୍ଡର ରୋଡ୍ସ ସଂଗଠନର ଅମିତ କୁମାର କହିଛନ୍ତି ଯେ, ଆମର ୪ଟି ମେସିନ ଉଦ୍ଧାର କାର୍ଯ୍ୟରେ ଲାଗିଛି। ‘ବିଆରଓ’ର ମହାନିର୍ଦ୍ଦେଶକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବିଆରଓ, ଆଇଟିବି, ଏନଡିଆରଏଫ ଓ ଏସଡିଆରଏଫ ଦ୍ବାରା ୧୫୦ରୁ ୧୭୫ ଜଣଙ୍କୁ ଉଦ୍ଧାର କରାଯାଇଛି।
ଅଧିକ ପଢ଼ନ୍ତୁ: ରାହୁଲଙ୍କ ସମର୍ଥନରେ ବାହାରିଲେ ଶଶି