ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏହି ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏଠାରେ ପହଞ୍ଚିଲା ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ପରେ ଶ୍ରୀ ଶାହ ରାଜ୍ୟର ୩ଟି ସ୍ଥାନରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ବାହାରିଛନ୍ତି।
ଶାହଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଓଡ଼ିଶାରେ ପହଂଚିବା ପରେ ଶାହ ସିଧାସଳଖ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲିଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବାକୁ ବାହାରିଛନ୍ତି। ସେ ଅପରାହ୍ଣରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ଠାରେ ଜନସଭାକୁ ସମ୍ବୋଧନ କରିବେ। ଶେଷରେ ଅପରାହ୍ନରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ। ସେ ମତଦାତାମାନଙ୍କୁ ସଠିକ ପ୍ରାର୍ଥୀ ଚୟନ କରିବା ପାଇଁ ଉତ୍ସାହିତ କରିବେ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୩ଟି ପର୍ଯ୍ୟାୟରେ ୧୫ଟି ଲୋକସଭା କ୍ଷେତ୍ର ଓ ଏହାର ଅଧିନ ୧୦୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇସାରିଛି। ଆସନ୍ତା ୧ ତାରିଖରେ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଏବଂ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।