ବଦାୟୁନ୍: ଉତ୍ତର ପ୍ରଦେଶରେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଇ ଯାତ୍ରା କରୁଥିବା ୩ ଜଣ କାର୍ ଆରୋହୀଙ୍କ ମୃତ୍ୟୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରବିବାର ଅନୁସନ୍ଧାନକାରୀ ଗୁଗୁଲ ମ୍ୟାପର ଅଭିଯୋଗ ଆଇଡି ମାଧ୍ୟମରେ ଇମେଲ କରି ଏକ ନୋଟିସ୍ ପଠାଇଛନ୍ତି। ମୁଦା ଗାଁର ଅସମ୍ପୂର୍ଣ୍ଣ ପୋଲ ଉପରେ ରାସ୍ତା ବନ୍ଦ ଥିବା ସତ୍ତ୍ୱେ ନଭେମ୍ବର ୨୪ ତାରିଖରେ ଗୁଗଲ ମ୍ୟାପ୍ରେ ସୁରୁଖୁରୁରେ ରାସ୍ତା ଦେଖାଯାଉଥିଲା। ଏହି ଦ୍ୱନ୍ଦ୍ୱ ଓ ତ୍ରୁଟି ଯୋଗୁଁ କାର୍ରେ ଯାଉଥିବା ୩ ଜଣ ଯୁବକ ଅସମ୍ପୂର୍ଣ୍ଣ ପୋଲ ଉପରେ ପଡ଼ି ପ୍ରାଣ ହରାଇଥିଲେ। ଏଥିପାଇଁ ଦାୟୀ କିଏ? ଗୁଗଲ ମ୍ୟାପ୍ର ଆଞ୍ଚଳିକ ଅଧିକାରୀ କିଏ? ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ୭ ଦିନ ସମୟ ଦିଆଯାଇଛି। ଏହାପରେ ଏଫଆଇଆରରେ ଗୁଗୁଲ ମ୍ୟାପ୍ ଅଧିକାରୀଙ୍କ ନାମ ବଢିପାରେ।
ରବିବାର ସକାଳେ ଫରୁଖାବାଦର ନୀତିନ, ଅଜିତ ଓ ଅମିତ ଗୁଗୁଲ ମ୍ୟାପ୍ ସାହାଯ୍ୟରେ କାର ଯୋଗେ ଫରିଦପୁର (ବରେଲି) ଯାଉଥିଲେ।
ମୁଡା ଗାଁ ନିକଟରାମଗଙ୍ଗା ଉପରେ ଥିବା ପୋଲ ଅସମ୍ପୂର୍ଣ୍ଣ ଥିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା, ଏହା ସତ୍ତ୍ୱେ ମାନଚିତ୍ରରେ ଏହା ସୁରୁଖୁରୁରେ ଦେଖାଯାଉଥିଲା। ସେଠାରେ କିଛି ଗ୍ରାମବାସୀ ଇଟା କାନ୍ଥ ମଧ୍ୟ ଭାଙ୍ଗି ଦେଇଥିଲେ। ଏହା ଜାଣି ନ ପାରି ଯୁବକମାନେ ଆଗେଇ ଆସିଥିଲେ ଏବଂ ପୋଲ ଉପରୁ କାର୍ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ଏହି ମାମଲାରେ ଦାତାଗଞ୍ଜ ଛାବ୍ରାମାର ନାଏବ ତହସିଲଦାର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମହମ୍ମଦ ଆରିଫ୍, ଅଭିଷେକ କୁମାର, ଇଞ୍ଜିନିୟର ଅଜୟ ଗଙ୍ଗୱାର ଓ ମହାରାଜ ସିଂହଙ୍କ ବିରୋଧରେ ହତ୍ୟା ଧାରାରେ ମାମଲା ରୁଜୁ କରିଥିଲେ। ଏତଲାରେ ଦର୍ଶାଯାଇଛି ଯେ ଗୁଗଲ ମ୍ୟାପ୍ରେ ଏହି ମାର୍ଗକୁ ଭୁଲ ଭାବେ ଦର୍ଶାଯାଇଥିଲା, ତେଣୁ ଏହାର ଆଞ୍ଚଳିକ ଅଧିକାରୀମାନେ ମଧ୍ୟ ଏଥିପାଇଁ ଦାୟୀ।
ପୁଲିସ ସୂଚନା ଅନୁଯାୟୀ, ଯୁବକମାନେ ଗୁଗଲ ମ୍ୟାପ୍ ଦେଖି କାର୍ ଚଳାଉଥିଲେ। ୭୦୦ ମିଟର ଆପ୍ରୋଚ୍ ରୁଟ୍ ଓ ବ୍ରିଜ୍ର ୬୮୫ ମିଟର ରାସ୍ତାରେ ଚାଲିବା ପରେ ଡ୍ରାଇଭର ହଠାତ୍ ଦେଖିଲେ ଯେ ଆଗକୁ ଥିବା ବ୍ରିଜ୍ ଆକାଶରେ ଝୁଲୁଛି। ଭୟଭୀତ ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରେକ୍ ଲଗାଇଥିଲେ, ଯାହା ଫଳରେ କାରଟି ୧୫ ମିଟର ଟାଣି ନେଇଥିଲେ ମଧ୍ୟ ଦ୍ରୁତ ବେଗ ଯୋଗୁଁ ସମ୍ପୂର୍ଣ୍ଣ ଅଟକି ପାରିନଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ କାରଟି ପୋଲରୁ ୨୨ ଫୁଟ ତଳକୁ ଖସି ପଡ଼ିବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ତିନି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମୃତ୍ୟୁର କାରଣ ଆଶ୍ଚର୍ଯ୍ୟଜନକ ଥିଲା।
ଅଧିକ ପଢ଼ନ୍ତୁ: ଆପ୍ ମେଣ୍ଟ କରିବାକୁ ମନା କରିବା ପରେ ଜବାବ ଦେଲା କଂଗ୍ରେସ୍