ୱାଶିଂଟନ୍: ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଆମେରିକୀୟ ଆକାଶରେ ଚନ୍ଦ୍ରଙ୍କ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପୁଣି ୧୮ ବର୍ଷ ପରେ। ପୃଥିବୀ ପୃଷ୍ଠରୁ ଅତି ନିକଟତର ଥିବାରୁ ଜହ୍ନ ଅପେକ୍ଷାକୃତ ବଡ଼ ଓ ଚମକପ୍ରଦ ଦେଖାଯାଇଛି। ବୈଜ୍ଞାନିକମାନେ ଚନ୍ଦ୍ରଙ୍କ ଏହି ବିରଳ ଦୃଶ୍ୟକୁ ସ୍ବତନ୍ତ୍ର ନାମ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଏହା ଷ୍ଟ୍ରବେରି ମୁନ୍। ବୈଜ୍ଞାନିକମାନଙ୍କ ଭାଷାରେ ଏହା ହଟ୍ ମୁନ୍ ଓ ହନି ମୁନ୍ ଓ ଫୁଲ ମୁନ୍। ଏମିତିରେ ବି ଚନ୍ଦ୍ରର ଉଜ୍ବଳ କିରଣ ଜୁନ ୨୦ ତାରିଖ ଠାରୁ ଦେଖାଯାଇଥିଲା। କିନ୍ତୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦୃଶ୍ୟ ସ୍ବତନ୍ତ୍ର ଥିଲା। ଏହା ଆକର୍ଷଣୀୟ ଦେଖାଯାଉଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି।
ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଷ୍ଟ୍ରବେରି ମୁନ ଦୃଶ୍ୟମାନ ହେବା ସହିତ ଭୂମଧ୍ୟ ରେଖାର ଉତ୍ତରରେ ଗରମ ଓ ଦକ୍ଷିଣରେ ଥଣ୍ଡା ଆରମ୍ଭ ହୋଇଯାଏ। ଷ୍ଟ୍ରବେରି ମୁନ୍କୁ ଦେଖିବାର ସବୁଠାରୁ ଭଲ ସମୟ ଶୁକ୍ରବାର ସନ୍ଧ୍ୟା ୭ଟା ୮ମିନିଟରୁ ରାତି ୯ଟା ୮ ମିନିଟ ଥିଲା। ଏହାକୁ ଲକ୍ଷଲକ୍ଷ ଲୋକ ଦେଖି ଖୁସି ଅନୁଭବ କରିଛନ୍ତି।
ଚନ୍ଦ୍ରଙ୍କ ଏହି ରୂପକୁ ଷ୍ଟ୍ରବେରି ମୁନ କୁହାଯିବାର କାହାଣୀ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ। ଏହାକୁ ଏହି ନାମ ଉତ୍ତର ଆମେରିକାର ଏଲ୍ଗୋନକ୍ବିନ ଆଦିବାସୀମାନେ ଦେଇଥିଲେ। ଉତ୍ତର ଆମେରିକାରେ ଷ୍ଟ୍ରବେରି ଉତ୍ପାଦନ ବେଳେ ଚନ୍ଦ୍ରଙ୍କ ବିରଳ ଦୃଶ୍ୟକୁ ଦେଇ ସେମାନେ ଏଭଳି ନାମକରଣ କରିଥିଲେ ବୋଲି ମଧ୍ୟ କୁହାଯାଇଥାଏ। ତେବେ ଆହୁରି ଅନ୍ୟମାନେ କୁହନ୍ତି, ଚନ୍ଦ୍ରଙ୍କର ଏଭଳି ଦୃଶ୍ୟ ଯୋଗୁ ଷ୍ଟ୍ରବେରି ମୁନ କୁହାଯାଇଥାଏ।