ରାଜ୍ୟରେ ବନ୍ୟାରେ ୯ ଜଣଙ୍କ ମୃତ୍ୟୁ, ୧୩୪ଟି ଗାଁ ପ୍ରଭାବିତ, ବଢୁଛି ୭ଟି ନଦୀର ଜଳସ୍ତର
Khabar Odisha:State-odisha-134-villages-affected-in-flood-in-odisha-9-dead
ଭୁବନେଶ୍ଵର,ଅଗଷ୍ଟ୧୩(ଖବର ଓଡ଼ିଶା):

ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସିଥିବା ବନ୍ୟାରେ ୯ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟର ୭ଟି ଜିଲ୍ଲାର ୧୯ଟି ବ୍ଲକ ଅନ୍ତର୍ଗତ ୧୩୪ଟି ଗାଁ ପ୍ରଭାବିତ ହୋଇଛି। ଉଦ୍ଧାରକାର୍ଯ୍ୟରେ ୧୫ ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି। ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି। ବିଶେଷ କରି ରାଜ୍ୟର କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗିର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି। 

ସରକାରଙ୍କ ସୂଚନା ମୁତାବକ ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଂଶଧାରା ନଦୀ କାଶୀନଗର ଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ୭ଟି ନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ୩ ନଦୀର ଜଳସ୍ତର ହ୍ରାସ ହେଉଛି। ଅନ୍ୟପକ୍ଷେ ହୀରାକୁଦ ନଦୀବନ୍ଧରେ ଜଳସ୍ତର ବୃଦ୍ଧି ପାଇ ୬୧୭.୨୩ ଫୁଟରେ ରହିଛି। ଆସନ୍ତାକାଲି ସାଙ୍କେତିକ ଭାବେ ନଦୀବନ୍ଧର ଗୋଟିଏ ଗେଟ୍ ଖୋଲାଯିବ ବୋଲି କୁହାଯାଇଛି।

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟର ୭ଟି ଜିଲ୍ଲାର ୧୯ଟି ବ୍ଲକ ଅନ୍ତର୍ଗତ ୧୩୪ଟି ଗାଁ ପ୍ରଭାବିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ୩, ବଲାଙ୍ଗିରରେ ୫, ବୌଦ୍ଧ ଜିଲ୍ଲାର ଗୋଟିଏ ବ୍ଲକ ପ୍ରଭାବିତ ହୋଇଛି। ସେହି ପରି ସୁବର୍ଣ୍ଣପୁରର ୪, କନ୍ଧମାଳର ୩, ନୂଆପଡ଼ାର ୧, ବରଗଡ଼ର ୨ଟି ବ୍ଲକ ପ୍ରଭାବିତ ହୋଇଛି। ବନ୍ୟାନଜିତ ମୃତ୍ୟୁ ସଂଖ୍ୟା ୯ ହୋଇଛି। ବନ୍ୟା ଘେରରେ ଫସିଥିବା  ଲୋକଙ୍କ ଉଦ୍ଧାର ପାଇଁ ୧୫ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। 

ଆସନ୍ତା ୪୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ଵାର୍ଣ୍ଣି ଜାରି ରହିଛି। ଅନ୍ୟ ପଟେ ଲଗାତର ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଆସିଛି ।  ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।

Subscribe

National International State Sports Entertainment