ଅହମଦାବାଦ: ଗୁଜରାଟର ଅହମଦାବାଦ ଠାରେ ମହାପ୍ରଭୁଙ୍କ ୧୪୮ତମ ରଥଯାତ୍ରା ଜାରି ରହିଛି। ଏହି ସମୟରେ ରଥଯାତ୍ରାରେ ନିୟୋଜିତ ଏକ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏଣେତେଣେ ଦୌଡ଼ିବାକୁ ଲାଗିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେଲା। ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଛନ୍ତି।
ଜଗନ୍ନାଥଙ୍କ ରଥଯାତ୍ରାରେ ହଜାର ହଜାର ଭକ୍ତ ଏକାଠି ହୁଅନ୍ତି। ଏହି ସମୟରେ ତିନୋଟି ହାତୀ ନିୟନ୍ତ୍ରଣ ବାହାରକୁ ଯିବାରୁ ଭିଡ଼ରେ ଉପସ୍ଥିତ ଲୋକମାନେ ମଧ୍ୟ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଥିଲେ। ହାତୀକୁ ଦେଖି ଲୋକମାନେ ଭୟଭୀତ ହୋଇଥିଲେ। ସେମାନେ ଏଣେତେଣ ଦୌଡ଼ିବାକୁ ଲାଗିଲେ।
ଅହମଦାବାଦ ରଥଯାତ୍ରା ରାସ୍ତାରେ ହାତୀ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଡିଜେର ଜୋରଦାର ଶବ୍ଦରେ ଗୋଟିଏ ହାତୀ ଉତ୍ତେଜିତ ହୋଇ ଦୌଡ଼ିବାକୁ ଲାଗିଲା। ସେହି ହାତୀକୁ ଦେଖି ଅନ୍ୟ ଦୁଇଟି ହାତୀ ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଦଳାଚକଟାରେ ତିନିରୁ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମ ପ୍ରତିନିଧି। ସୌଭାଗ୍ୟବଶତଃ କେହି ଗୁରୁତର ହୋଇ ନାହାନ୍ତି। ଏହି ଲୋକମାନେ ହାତୀ ପାଖରେ ଠିଆ ହୋଇଥିଲେ ଏବଂ ଦଳାଚକଟାରେ ପଡ଼ିଯାଇଥିଲେ। ଭଲ ଖବର ହେଉଛି ହାତୀ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଲୋକମାନେ ସେମାନଙ୍କୁ ରକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ବାହାରେ ଆୟୋଜନ ହେଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟରୁ ଅହମଦାବାଦରେ ଲୋକପ୍ରିୟତା ଅର୍ଜନ କରିଛି। ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ। ଏଠାରେ ହଜାର ହଜାର ଓଡ଼ିଆ ରଥଯାତ୍ରାରେ ସାମିଲ ହୋଇଥାନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ଅଧିକାରୀଙ୍କ ଅନ୍ତିମ ସଂସ୍କାରରେ ଭାବପ୍ରବଣ ହେଲେ ମୁନିର