ଏ ହେଉଛନ୍ତି ବିଶ୍ୱକପରେ ବୋଲରମାନଙ୍କର ନିଦ ହଜେଇଥିବା ଚାମ୍ପିୟନ ବ୍ୟାଟ୍ସମ୍ୟାନ
Khabar Odisha:Sports-cricket-odisha-icc-cricket-world-cup-2019-top-5-cricket-world-cup-highest-individual-scores
ଇଂଲଣ୍ଡ, ମେ ୨୬(ଖବର ଓଡିଶା):

ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ । ୱେଲ୍ସ ଓ ଇଂଲଣ୍ଡରେ ଚଳିତ ବିଶ୍ୱକପ ଆୟୋଜନ କରୁଛି ଇଂଲଣ୍ଡ । ୨୦ ବର୍ଷ ପରେ ଇଂଲଣ୍ଡ ବିଶ୍ୱକପ ଆୟୋଜନ କରୁଥିବା ବେଳେ ନିଜେ ସବୁଠାରୁ ବଡ ଦାବିଦାର ବୋଲି ଚର୍ଚ୍ଚା ହୋଉଛି । ତେବେ ଏହି ବିଶ୍ୱକପରେ ସବୁ ଦଳ  ବଡ ସ୍କୋର କରିବେ ବୋଲି ଭବିଷ୍ୟବାଣୀ ହେଉଛି । ଯେବେ କି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଦିନିକିଆ ସିରିଜର ସ୍କୋର ଦେଖି ଏକଥା ସତ ବି ଲାଗୁଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜର ଚାରୋଟି ମ୍ୟାଚରେ ୩୪୦ରୁ ଅଧିକ ସ୍କୋର ହୋଇଥିଲା । ଅନ୍ୟପଟେ ଗୋଟିଏ ମୁକାବିଲା ବର୍ଷା ପାଇଁ ବାତିଲ ହୋଇଥିଲା । କିନ୍ତୁ ଏଠାରେ ଆମେ ଆପଣଙ୍କୁ ବିଶ୍ୱକପ ଇତିହାସରେ ପାଞ୍ଚଟି ବଡ ବ୍ୟକ୍ତିଗତ ଇନିଂସ କଥା କହିବାକୁ ଯାଉଛୁ । 

୧) ମାର୍ଟିନ ଗୁପଟିଲ୍(ନ୍ୟୁଜିଲାଣ୍ଡ):

ଆଇସିସି ବିଶ୍ୱକପରେ ସବୁଠାରୁ ବଡ ବ୍ୟକ୍ତିଗତ ଇନିଂସ ଖେଳିବାର ରେକର୍ଡ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲଙ୍କ ନାମରେ ରହିଛି । ସେ ମାର୍ଚ୍ଚ ୨୧, ୨୦୧୫ ମସିହାରେ ୱେଲିଙ୍ଗଟନ ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୬୩ଟି ବଲରୁ ୨୪ଟି ଚୌକା ଓ ୧୧ଟି ଛକା ସହାୟତାରେ ୨୩୭ ରନର ଅପରାଜିତ ଇନିଂସ ଖେଳିଥିଲେ । ବିଶ୍ୱକପରେ ଏହି ଇନିଂସ କୌଣସି ବି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ନ୍ୟୁଜିଲାଣ୍ଡ ଦଳ ପାଇଁ ମଧ୍ୟ ଏହା ହେଉଛି ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

୨) କ୍ରିସ୍ ଗେଲ(ୱେଷ୍ଟଇଣ୍ଡିଜ):

ବିଶ୍ୱକପରେ ଦ୍ୱିତୀୟ ବଡ ସ୍କୋରର ରେକର୍ଡ ରହିଛି ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ନାମରେ । ସେ ମଧ୍ୟ ଗତ ବିଶ୍ୱକପରେ ଫେବ୍ରୁଆରୀ ୨୪ ତାରିଖରେ ଜିମ୍ୱାୱେ ବିପକ୍ଷରେ କୈନବରା ଠାରେ  ୧୪୭ଟି ବଲରୁ ୧୦ଟି ଚୌକା ଓ ୧୬ଟି ଛକା(ଏହା ମଧ୍ୟ ବିଶ୍ୱକପରେ ଏକ ରେକର୍ଡ) ସହାୟତାରେ ୨୧୫ ରନର ଇନିଂସ ଖେଳିଥିଲେ । ଏହା ୱେଷ୍ଟଇଣ୍ଡିଜ୍ କ୍ରକେଟ ଦଳରେ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । 

୩) ଗ୍ୟାରୀ କ୍ରର୍ଷ୍ଟନ(ଦକ୍ଷିଣ ଆଫ୍ରିକା): 

ଦକ୍ଷିଣ ଆଫ୍ରିକାର ଓପନର ଗ୍ୟାରୀ କ୍ରର୍ଷ୍ଟନ ୧୯୯୬ ବିଶ୍ୱକପରେ ରାୱଲପିଣ୍ଡିରେ ୟୁଏଇ ବିପକ୍ଷରେ ୧୮୮ ରନର ଇନିଂସ ଖେଳିଥିଲେ, ଯାହା ବିଶ୍ୱକପରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହି ଇନିଂସରେ ସେ ୧୫୯ଟି ବଲ ଖେଳି ୧୩ଟି ଚୌକା ଓ ୪ଟି ଛକା ମାରିଥିଲେ । ଗ୍ୟାରୀ କ୍ରର୍ଷ୍ଟନଙ୍କ ଏହି ସ୍କୋର ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି । 

୪) ସୌରଭ ଗାଙ୍ଗୁଲି(ଭାରତ): 

ବିଶ୍ୱକପରେ ସର୍ବାଧିକ ରନ ସ୍କୋର କରିବାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାମ ମଧ୍ୟ ସାମିଲ ଅଛି । ସେ ୧୯୯୯ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଟାଣ୍ଟନରେ ମେ ୨୬ ତାରିଖରେ ୧୫୮ଟି ବଲରୁ ୧୭ଟି ଚୌକା ଓ ୭ଟି ଛକା ସହାୟତାରେ ୧୮୩ ରନର ଇନିଂସ ଖେଳିଥିଲେ । ବିଶ୍ୱକପରେ ଗାଙ୍ଗୁଲିଙ୍କ ଏହି ସ୍କୋର ଭାରତୀୟଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ହୋଇ ରହିଛି । 

୫) ଭିଭି ରାଚାର୍ଡ୍ସ(ୱେଷ୍ଟଇଣ୍ଡିଜ): 

କ୍ରିକେଟ ବିଶ୍ୱକପରେ ସବୁଠାରୁ ବଡ ଇନିଂସ ଖେଳିବାରେ ପଞ୍ଚମ ନମ୍ୱରରେ ଆସୁଛନ୍ତି ୱେଷ୍ଟଇଣ୍ଡିଜର ଭିଭି ରାଚାର୍ଡ୍ସ । ସେ ୧୯୮୭ ବିଶ୍ୱକପରେ ଅକ୍ଟୋବର ୧୩ ତାରିଖରେ କରାଚିରେ ଶ୍ରୀଲଙ୍କା ବିପକ୍ଷରେ ୧୨୫ଟି ବଲରୁ ୧୬ଟି ଚୌକା ଓ ୭ଟି ଛକା ସହାୟତାରେ ୧୮୧ ରନର ସ୍କୋର କରିଥିଲେ । 

Subscribe

National International State Sports Entertainment