ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲ ଜାମା ମସଜିଦ ସର୍ଭେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶୁକ୍ରବାର ଅପରାହ୍ଣରେ ଆରମ୍ଭ ହୋଇଛି। ଏହାକୁ ନେଇ ମୁସଲିମ ପକ୍ଷ ଏକ ପିଟିସନ ଦାଖଲ କରିଥିଲେ। ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା କହିଛନ୍ତି ଯେ ଆମେ ଆଦେଶ ଦେଖିଛୁ। ଆମେ ଏହି ସମୟରେ ଏହି ମାମଲା ଉପରେ କୌଣସି ମନ୍ତବ୍ୟ ଦେବୁ ନାହିଁ। ମସଜିଦ କମିଟିକୁ ଏହାର ଆଇନଗତ ବିକଳ୍ପ ବ୍ୟବହାର କରିବାର ସୁଯୋଗ ମିଳିବା ଉଚିତ୍। ଏହା ଜିଲ୍ଲା ଅଦାଲତ କିମ୍ବା ହାଇକୋର୍ଟ ହୋଇପାରେ।
ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏହି ମାମଲାକୁ ଆମ ପାଖରେ ବିଚାରାଧୀନ ରଖିବୁ। ଆମେ ସେଠାରେ ଶାନ୍ତି ଚାହୁଁଛୁ। ଜିଲ୍ଲା ଅଦାଲତ ମଧ୍ୟସ୍ଥତା ଉପରେ ମଧ୍ୟ ବିଚାର କରିପାରିବେ। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ସମ୍ଭଲସ୍ଥିତ ଜମା ମସଜିଦ ସର୍ଭେ ମାମଲାରେ ନିମ୍ନ ଅଦାଲତ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନାହିଁ।
ନଭେମ୍ବର ୧୯ରେ ପ୍ରଥମ ଥର ପାଇଁ ଜାମା ମସଜିଦସର୍ଭେ କରାଯିବା ପରେ ସମ୍ଭଲରେ ଉତ୍ତେଜନା ଦେଖାଦେଇଛି। ଜାମା ମସଜିଦ ଏକଦା ସେହି ସ୍ଥାନରେ ହରିହର ମନ୍ଦିର ଥିଲା ବୋଲି ଦାବି କରୁଥିବା ଏକ ପିଟିସନର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଏଭଳି ଆଦେଶ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା, ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ଏବଂ ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।
ନଭେମ୍ବର ୨୪ରେ ସମ୍ଭଲସ୍ଥିତ ଜାମା ମସଜିଦ୍ ସର୍ଭେ ସମୟରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ତିନି ଜଣିଆ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଅରୋରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅମିତ ମୋହନ ପ୍ରସାଦ ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅରବିନ୍ଦ କୁମାର ଜୈନଙ୍କୁ ଆୟୋଗର ସଦସ୍ୟ କରାଯାଇଛି।
ରାଜ୍ୟପାଳଙ୍କ ସହମତିରେ ସରକାର ଏକ ତଦନ୍ତ କମିଶନ ଗଠନ କରିବା ସହ ୪ଟି ପ୍ରସଙ୍ଗରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ହଠାତ୍ ନା ଯୋଜନାବଦ୍ଧ ଥିଲା ଏବଂ କୌଣସି ଅପରାଧିକ ଷଡ଼ଯନ୍ତ୍ରର ପରିଣାମ ଥିଲା କି ନାହିଁ, ସେ ଦିଗକୁ କମିସନ୍ ଅନୁଧ୍ୟାନ କରିବେ।
ଏହାବ୍ୟତୀତ ଘଟଣା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗର ମଧ୍ୟ ତଦନ୍ତ କରାଯିବ। କେଉଁ କାରଣ ଓ ପରିସ୍ଥିତିରେ ହିଂସା କାଣ୍ଡ ଘଟିଛି ତାହା ଯାଞ୍ଚ କରାଯିବ।
ଅଧିକ ପଢ଼ନ୍ତୁ: ବିବାହର ପଞ୍ଚମ ଦିନରେ ବାଥରୁମରେ କନ୍ୟାଙ୍କ ମୃତ୍ୟୁ