ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା
Khabar Odisha:Rain-possibility-in-Odisha
ଭୁବନେଶ୍ୱର, ଜୁନ ୭ ( ଖବର ଓଡ଼ିଶା):

 ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ଓଡିଶାକୁ ମୌସୁମୀ ଛୁଇଁବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୮ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ଅଧିକ ସକ୍ରିୟ ହେବ । ଏହା ସହିତ ଜୁନ୍ ୧୦ ତାରିଖ ଆଡ଼କୁ ମୌସୁମୀ ଆଗମନ ହେବ । ରାଜ୍ୟରେ ବର୍ଷା ପରିମାଣ ବଢ଼ିବ।

ଲଘୁଚାପ ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାଛଡ଼ା ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। 

ଆଜି ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ ମାଲକାନଗିରି, ଅନୁଗୋଳ, ଢ଼େଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ଜଗତସିଂହପୁର, ନୟାଗଡ଼ ଆଦି ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ । ପରବର୍ତ୍ତୀ ତିନିଦିନ ବର୍ଷା ଲାଗିରହିବ । ବି​ଶେଷ କରି ୮ରୁ ୧୦ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

  • Tags:

Subscribe

National International State Sports Entertainment