ନୂଆଦିଲ୍ଲୀ: ଦେଶସାରା ମୌସୁମୀ କାର୍ଯ୍ୟକଳାପ ମଧ୍ୟରେ ପାଣିପାଗ ବିଭାଗ ଏକ ସତର୍କତା ଜାରି କରିଛି। ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆଜି ଓଡ଼ିଶାର କିଛି ସ୍ଥାନରେ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୪ଟି ରାଜ୍ୟ ପାଇଁ ବଜ୍ରପାତ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ୬୦ରୁ ୬୫ କିମି ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ଅଛି। ପାହାଡିଆ ଅଞ୍ଚଳ ପାଇଁ ଭୂସ୍ଖଳନ ସତର୍କତା ଜାରି କରାଯାଇଛି। ଉତ୍ତର ଏବଂ ପୂର୍ବ ରାଜ୍ୟଗୁଡ଼ିକରେ ନଦୀ ଜଳସ୍ତର ବିପଦଜନକ ଭାବରେ ବୃଦ୍ଧି ପାଇପାରେ। ପ୍ରବଳ ଝଡ଼ କ୍ଷେତରେ ଫସଲକୁ କ୍ଷତି ପହଞ୍ଚାଇପାରେ। କିଛି ରାଜ୍ୟରେ କୁଆପଥର ବର୍ଷା ମଧ୍ୟ ହୋଇପାରେ।
ଉତ୍ତରପଶ୍ଚିମ ମଧ୍ୟ ପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଆଜି ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟ ପ୍ରଦେଶର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ପଶ୍ଚିମ ହିମାଳୟ କ୍ଷେତ୍ରର ବିଚ୍ଛିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
ପାଣିପାଗ ବିଭାଗ ଅନୁଯାୟୀ ଆଜି ଦେଶର ୧୪ଟି ରାଜ୍ୟରେ ପ୍ରବଳ ବର୍ଷାର ସତର୍କତା ଜାରି କରାଯାଇଛି। ଯଥା ୟୁପି, ବିହାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ, ଜମ୍ମୁ ଓ କାଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼। ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୬୫ କିଲୋମିଟର ବେଗରେ ଝଡ଼ ହୋଇପାରେ। ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ବନ୍ୟାର ଆଶଙ୍କା ଅଧିକ।
ଆଜି ଦିଲ୍ଲୀରେ ପ୍ରବଳ ଝଡ଼ ଏବଂ ବର୍ଷାର ସତର୍କତା ଜାରି ରହିଛି। ଏହି ସମୟ ମଧ୍ୟରେ ୩୦ରୁ ୪୦ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ।
ଅଧିକ ପଢ଼ନ୍ତୁ: ନେପାଳ ବନ୍ୟା: ୧୧ତମ ଦିନରେ ଚୀନ୍ ନାଗରିକ-ବୃଦ୍ଧା ଉଦ୍ଧାର