ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଓଡ଼ିଶାଗସ୍ତର ଆଜି ପ୍ରଥମ ଦିନ। ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ 10.50ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି | ଆଜି ସେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ଏହାପରେ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସେ ପଢୁଥିବା ଭୁବନେଶ୍ୱର ୟୁନିଟ୍-2 ଗାର୍ଲସ୍ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସକୁ ସଜା ଯାଇଛି।
ଆଜି ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି। ବିମାନ ତାଳବଣିଆରେ ଓହ୍ଲାଇବା ପରେ ସେଠୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ ରାଷ୍ଟ୍ରପତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରିବେ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯିବ।
ଶ୍ରୀମନ୍ଦିରରେ ପ୍ରାୟ 1 ଘଣ୍ଟାର ଦର୍ଶନ କାର୍ଯ୍ୟକ୍ରମ ପରେ ରାଜଭବନକୁ ଯାଇ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି ମୁର୍ମୁ । ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି ରାଜଧାନୀର 8ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି | କାଲି ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱର ୟୁନିଟ୍-2 ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ ପରେ ଦିନ 11ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ବାହୁଡ଼ି ଯିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ହେବନି ସେ ନେଇ ସଜାଗ ରହିଛି ପ୍ରଶାସନ| ଅନ୍ୟପଟେ ଆଜି ଦିନ ଗୋଟାଏ ପରେ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍ ବନ୍ଦ ରହିବ |