ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାବାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲା ପରେ ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ ସେ କହିଛନ୍ତି, ଆମେରିକାର ସୁବର୍ଣ୍ଣ ଯୁଗ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଆମେରିକାରେ ତୃତୀୟ ଲିଙ୍ଗକୁ ଶେଷ କରିଦିଆଯାଉଛି।
ଉଦ୍ଘାଟନୀ ଭାଷଣରେ ୭୮ ବର୍ଷୀୟ ଟ୍ରମ୍ପ ଆଗାମୀ ୪ ବର୍ଷ ପାଇଁ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଟ୍ରମ୍ପ ଜାନୁଆରୀ ୨୦କୁ ଆମେରିକା ପାଇଁ 'ମୁକ୍ତି ଦିବସ' ଭାବେ ଘୋଷଣା କରିବା ସହ କହିଛନ୍ତି ଯେ 'ଆମେରିକୀୟ ଅବନତି'ର ସମୟ ଶେଷ ହୋଇଯାଇଛି ଏବଂ ସେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆଣିବେ। ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସୁବର୍ଣ୍ଣ ଯୁଗ ଏବେ ଆରମ୍ଭ ହୋଇଛି ଏବଂ ଏହି ଦିନଠାରୁ ଆମ ଦେଶ ସମଗ୍ର ବିଶ୍ୱରେ ଉନ୍ନତି ଲାଭ କରିବ ଏବଂ ସମ୍ମାନ ହାସଲ କରିବ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆମେରିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଅଲଗା କରିଛନ୍ତି। ଏଣିକି ‘ହୁ’ରେ ଆମେରିକା ସଦସ୍ୟ ନାହିଁ। ଏହି ନିଷ୍ପତ୍ତି କାରଣରୁ ହୁ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଉଛି। କାରଣ ‘ହୁ’କୁ ଆମେରିକାର ଠାରୁ ମିଳୁଥିବା ପାଣ୍ଠି ଆଉ ମିଳିବ ନାହିଁ। ଫଳରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ପରିଚାଳିତ ହେଉଥିବା ଯୋଜନା ପ୍ରଭାବିତ ହେବାର ଆଶଙ୍କା ଦେଖାଯାଉଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା) ଦେଶ ସମୂହକୁ ମଧ୍ୟ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ବ୍ରିକ୍ସ ସମୂହ ଆମେରିକୀୟ ବିରୋଧୀ ନୀତି ଆଣନ୍ତି, ତାଙ୍କୁ ଏହାର କଡ଼ାଜବାବ ମିଳିବ। ସେମାନେ ଶାନ୍ତିରେ ରହିପାରିବେ ନାହିଁ। ସୂଚନାଯୋଗ୍ୟ ବ୍ରିକ୍ସ ସମୂହରେ ଭାରତ ମଧ୍ୟ ସଦସ୍ୟ ରହିଛି।