ଜମ୍ମୁ: ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କ ଆଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଓ ନିପାତ କରିବା କାର୍ଯ୍ୟରେ ପାରଦର୍ଶିତା ହାସଲ କରିଥିବା ସେନାର ସ୍ପେଶାଲ ଫୋର୍ସର କର୍ଣ୍ଣେଲ ବିକ୍ରାନ୍ତ ପରାଶର ଏବେ ଜମ୍ମୁ-କଶ୍ମୀର ପୁଲିସର ଯବାନଙ୍କୁ ସ୍ୱତନ୍ତ୍ର ଅପରେସନ୍ ପାଇଁ ପ୍ରସ୍ତୁତ କରିବେ।
ଶୌର୍ଯ୍ୟ ଚକ୍ର ବିଜେତା କର୍ଣ୍ଣେଲ ବିକ୍ରାନ୍ତ ସେନା ପାରା କମାଣ୍ଡୋଙ୍କ ଭଳି ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ, ଯାହାଦ୍ୱାରା ସେମାନେ ଆତଙ୍କବାଦୀଙ୍କ ଡାକ ହୋଇପାରିବେ। ଜମ୍ମୁ-କଶ୍ମୀର ପୁଲିସରେ ପ୍ରଥମ ଥର ପାଇଁ ଜଣେ ସେନା କର୍ଣ୍ଣେଲଙ୍କୁ ଡେପୁଟେସନରେ ଅଣାଯାଇଛି। ଜମ୍ମୁ-କଶ୍ମୀରରେ ପାକିସ୍ତାନର ଇଶାରାରେ ଆତଙ୍କବାଦ ଉପରେ ମାରାତ୍ମକ ଆକ୍ରମଣ କରିବା ପାଇଁ ରାଜ୍ୟ ପ୍ରଶାସନ ଏହି ବଡ଼ ପଦକ୍ଷେପ ନେଇଛି।
ଜମ୍ମୁ-କଶ୍ମୀର ପ୍ରଶାସନ ସେନାର ପାରା ରେଜିମେଣ୍ଟର ଦଶମ ବାଟାଲିୟନର କର୍ଣ୍ଣେଲ ବିକ୍ରାନ୍ତଙ୍କୁ ଦୁଇ ବର୍ଷ ପାଇଁ ଡେପୁଟେସନରେ ଏସଏସପି (ଟ୍ରେନିଂ, ସ୍ପେଶାଲ ଅପରେସନ୍) ଭାବେ ନିଯୁକ୍ତ କରିଛି। ସେ ବର୍ତ୍ତମାନ ଲଦାଖ ଓ କଶ୍ମୀରର ଉପର ମୁଣ୍ଡରେ ବରଫପାତ ପରିସ୍ଥିତିରେ ଯୁଦ୍ଧ ଲଢ଼ିବା ଏବଂ ସାମରିକ ଅଭିଯାନ ଚଳାଇବା ପାଇଁ ଗୁଲମାର୍ଗସ୍ଥିତ ସେନାର ହାଇ ଆଲଟିଚ୍ୟୁଡ୍ ୱାର୍ଫେୟାର ସ୍କୁଲରେ ସେନା ଯବାନମାନଙ୍କୁ ତାଲିମ ଦେଉଛନ୍ତି। ଏବେ ଆଗାମୀ ଦୁଇ ବର୍ଷ ପାଇଁ ସେ ଜମ୍ମୁ-କଶ୍ମୀର ପୁଲିସର ଅଧିକାରୀ ଓ ଯବାନଙ୍କୁ ସ୍ପେଶାଲ ଫୋର୍ସ ଭଳି ଦକ୍ଷ କରିବେ।
ଜମ୍ମୁ-କଶ୍ମୀର ପ୍ରଶାସନ ତରଫରୁ କର୍ଣ୍ଣେଲ ବିକ୍ରାନ୍ତଙ୍କୁ ପୁଲିସରେ ନିୟୋଜିତ କରିବାକୁ ମୁଖ୍ୟ ଶାସନ ସଚିବ ଚନ୍ଦ୍ରାକର ଭାରତୀ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି। ଦୁଇ ବର୍ଷର ଡେପୁଟେସନ ଅବଧି ମଧ୍ୟରେ କର୍ଣ୍ଣେଲ ବିକ୍ରାନ୍ତଙ୍କୁ ତାଙ୍କ ପଦବୀ ଅନୁଯାୟୀ ଦରମା, ଭତ୍ତା, ବରିଷ୍ଠତା ଏବଂ ଆବାସିକ ସୁବିଧା ମିଳିବ।
କର୍ଣ୍ଣେଲ ବିକ୍ରାନ୍ତ ପରାଶରଙ୍କ ସାହସିକତାର କାହାଣୀ ତାଙ୍କ ବାଟାଲିୟନରେ ବହୁତ ପ୍ରସିଦ୍ଧ । ଯେତେବେଳେ ସେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟାରେ ଥିଲେ, ସେତେବେଳେ ତାଙ୍କୁ ସୂଚନା ମିଳିଥିଲା ଯେ କିଛି ଆତଙ୍କବାଦୀ ଭିଡ଼ ଆଳରେ କେନ୍ଦ୍ରୀୟ କାଶ୍ମୀରର ଏକ ବଜାରରେ ଲୁଚି ରହିଛନ୍ତି। ଏହା ପରେ ବିକ୍ରାନ୍ତ ତାଙ୍କ ଅନ୍ୟ ତିନି ଜଣ ସାଥୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ବିକ୍ରାନ୍ତ ପରାଶରଙ୍କ ପାଇଁ ଆତଙ୍କବାଦୀଙ୍କୁ ନିପାତ କରିବା ସହିତ ଲୋକଙ୍କ ସୁରକ୍ଷା ମଧ୍ୟ ଏକ ବଡ଼ ଦାୟିତ୍ୱ ଥିଲା।
ସାହସ, ବୀରତ୍ୱ ଓ ବୁଝାମଣା ଦେଖାଇ ସେ ଆତଙ୍କବାଦୀ କମାଣ୍ଡରଙ୍କୁ ନିପାତ କରିଥିଲେ। ଅନ୍ୟ ଆତଙ୍କବାଦୀମାନେ ଭିଡ଼ ଆଳରେ ଫେରାର ହୋଇଯାଇଥିଲେ। ଏହା ସହ କ୍ରୋଧିତ ଲୋକଙ୍କ ଭିଡ଼ରୁ ବିକ୍ରାନ୍ତ ମଧ୍ୟ ନିଜ ଦଳକୁ ସୁରକ୍ଷିତ ଭାବେ ନେଇଥିଲେ। ଏହି ସାହସିକତା ପାଇଁ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୌର୍ଯ୍ୟ ଚକ୍ର ରେ ସମ୍ମାନିତ କରିଥିଲେ।
ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ପହଞ୍ଚିଲା ତିରୁପତି ଲଡୁ ବିବାଦ