ଶ୍ରୀନଗର: ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖାର କିଛି ଅଂଶରେ ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ରାତିରେ ଗୁଳିଚାଳନା କରାଯାଇଛି। ଭାରତୀୟ ସେନା ଏହାର ପ୍ରଭାବଶାଳୀ ଜବାବ ଦେଇଛି। ଏହି ଏନକାଉଣ୍ଟରରେ କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ। ତଥାପି, ସୈନିକମାନେ ସୀମାରେ ସ୍ଥାନ ନେଇଛନ୍ତି ଏବଂ ପାକିସ୍ତାନୀ ସୈନିକଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି।
- ସାମରିକ ସୂତ୍ର ଅନୁଯାୟୀ, ଗୁରୁବାର ରାତିରେ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ପାଖରେ କିଛି ସ୍ଥାନରେ ପାକିସ୍ତାନୀ ସେନା ଗୁଳି ଚଳାଇବାରୁ ଭାରତୀୟ ସେନା ପ୍ରଭାବଶାଳୀ ଜବାବ ଦେଇଛି।
ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ କୌଣସି ମୃତାହତର ରିପୋର୍ଟ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ପାକିସ୍ତାନ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।
ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଖୁବ୍ ଶୀଘ୍ର ଶ୍ରୀନଗର ଏବଂ ଉଧମପୁର ଯିବେ। ସେ କାଶ୍ମୀର ଉପତ୍ୟକାରେ ନିୟୋଜିତ ବରିଷ୍ଠ ସେନା କମାଣ୍ଡର ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଅଧିକାରୀମାନଙ୍କୁ ଭେଟିବେ। ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉପତ୍ୟକାରେ ଚାଲିଥିବା ସୁରକ୍ଷା ପରିସ୍ଥିତି ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରୟାସର ସମୀକ୍ଷା କରିବେ।
କଶ୍ମୀର ଡିଭିଜନର ବାନ୍ଦିପୋରାରେ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଭୋର ସକାଳୁ ଗୁଳିବିନିମୟ ଜାରି ରହିଛି। ଏହି ସମ୍ପର୍କରେ ସାମରିକ ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବାନ୍ଦିପୋରା ଜିଲ୍ଲାର କୁଲନାର ବାଜିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ: ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ରାହୁଲ ଗାନ୍ଧୀ