ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟ ନେତା ଭାରତ-ଆମେରିକା ସମ୍ପର୍କକୁ ଉଚ୍ଚସ୍ତରକୁ ନେବା ସହ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ୨୦୨୫ ଜାନୁଆରି ୨୦ତାରିଖରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ପୁନର୍ବାର ନିର୍ବାଚିତ ହେବା ପରେ ମୋଦୀଙ୍କ ସହ ଟ୍ରମ୍ପଙ୍କର ଏହା ପ୍ରଥମ କଥାବାର୍ତ୍ତା ଥିଲା।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋର ପ୍ରିୟ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ଆନନ୍ଦିତ। ଐତିହାସିକ ବିଜୟ ଓ ପୁନଃ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମର ଜନସାଧାରଣଙ୍କ କଲ୍ୟାଣ, ବିଶ୍ୱ ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ପାଇଁ ଆମେ ଏକାଠି କାମ କରିବୁ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ହୋଇପାରିନଥିଲା। ତେବେ ମୋଦୀଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅନ୍ୟପକ୍ଷରେ ପିଏମଓ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମୋଦୀ ଏବଂ ଟ୍ରମ୍ପ ପ୍ରଯୁକ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରିଛନ୍ତି। ସେମାନେ ପଶ୍ଚିମ ଏସିଆ ଏବଂ ୟୁକ୍ରେନର ସ୍ଥିତି ଭଳି ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଖୁବଶୀଘ୍ର ସାକ୍ଷାତ କରିବାକୁ ମଧ୍ୟ ଦୁଇ ନେତା ରାଜି ହୋଇଛନ୍ତି। ତେବେ ଟ୍ରମ୍ପ ପ୍ରଶାସନ ଏପର୍ଯ୍ୟନ୍ତ ଭାରତ ସହ ନିଜର ସମ୍ପର୍କକୁ ନେଇ ମିଶ୍ର ସଙ୍କେତ ଦେଇଛି।
ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଜୟଶଙ୍କରଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ବେଆଇନ ଭାବେ ରହୁଥିବା ୧୮ ହଜାର ଭାରତୀୟଙ୍କୁ ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଇଛି ଆମେରିକା। ଏହାବ୍ୟତୀତ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲଗାଇଥିବା ଦେଶର ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ମଧ୍ୟ ଟ୍ରମ୍ପ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଭାରତକୁ ସାମିଲ କରାଯାଇନାହିଁ।
ଏହି ଆଲୋଚନା ପରେ ଆସନ୍ତା ମାସରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇପାରେ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଉଭୟ ଦେଶର ଅଧିକାରୀମାନେ ଯୋଗାଯୋଗରେ ଅଛନ୍ତି ଯାହାଦ୍ୱାରା ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଶୀଘ୍ର ବୈଠକ ହୋଇପାରିବ। କ୍ୱାଡ୍ ଶିଖର ସମ୍ମିଳନୀ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ପ୍ୟାରିସରେ ଏଆଇ ସମ୍ମିଳନୀ ଏବଂ ପରେ ଜି-୭ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି।