ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସକାଳୁ ସାଉଦି ଆରବରୁ ଆସି ଦିଲ୍ଲୀ ପହଞ୍ଚିଲଶ ପରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଛନ୍ତି। ବିମାନବନ୍ଦରରେ ସେ ଜୟଶଙ୍କର ଏବଂ ବୈଦେଶିକ ସଚିବଙ୍କ ସହିତ ଏକ ଜରୁରୀକାଳୀନ ବୈଠକ କରିଥିଲେ ଏବଂ ସମଗ୍ର ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ ଆତଙ୍କବାଦର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଉଚିତ ଏବଂ ଆହତମାନଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବା ଉଚିତ। ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁଁ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁଇ ଦିନିଆ ସାଉଦି ଆରବ ଗସ୍ତକୁ ଛୋଟ କରି ମଙ୍ଗଳବାର ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ସାଉଦି ଆରବ ଦ୍ୱାରା ଆୟୋଜିତ ସରକାରୀ ରାତ୍ରୀଭୋଜନରେ ଯୋଗ ଦେଇ ନଥିଲେ ଏବଂ ତାଙ୍କ ଗସ୍ତକୁ ଛୋଟ କରି ଦେଶକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେ 'ଏକ୍ସ'ରେ କହିଛନ୍ତି, "ମୁଁ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ପ୍ରକାଶ କରୁଛି। ଆହତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି।" ସେ କହିଛନ୍ତି, "ଏହି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ... ସେମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କର ଘୃଣ୍ୟ ଏଜେଣ୍ଡା କେବେ ସଫଳ ହେବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ।"
ଅଧିକ ପଢ଼ନ୍ତୁ: ପତ୍ନୀ-ପିଲାଙ୍କ ସାମ୍ନାରେ ଆଇବି ଅଧିକାରୀଙ୍କୁ ଗୁଳିମାରି ଜୀବନ ନେଲେ ଆତଙ୍କବାଦୀ