ନୂଆଦିଲ୍ଲୀ, ଜୁଲାଇ ୯ ( ଖବର ଓଡ଼ିଶା):
ଭାରତର କଠୋର ଆଭିମୁଖ୍ୟ ପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନର ମନୋଭାବ ଥଣ୍ଡା ହୋଇଯାଇଛି । ପାକିସ୍ତାନ ଏବେ ନିଜ ନିଷ୍ପତିରୁ ଓହରି ଯାଇଛି । ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କୁଲଭୂଷଣ ଯାଦବଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାକୁ ଅନୁମତି ଦେଇଛି । ପାକିସ୍ତାନ ଦାବି କରିଛି ଯେ ଏହି ଆବେଦନ କରିବା ପାଇଁ ଯାଦବଙ୍କୁ ଏକ ସ୍ୱତନ୍ତ୍ର ଆଦେଶ ଆଣିବାକୁ ପଡ଼ିବ। ଏଥି ସହିତ ପାକିସ୍ତାନର ଏହି ଦାବିକୁ ଭାରତ 'ସ୍ୱାଙ୍ଗ' ବୋଲି ବର୍ଣ୍ଣନା କରିଛି । ଭାରତ କହିଛି ଯେ ଏହା ପଡୋଶୀ ଦେଶର ପୁଣି ଏକ ତମସା ଯାହା ଗତ ଚାରି ବର୍ଷ ହେବ ଚାଲିଆସୁଛି ଏବଂ ଏହା କେବଳ ଏହି ପ୍ରସଙ୍ଗରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ହିଁ ଚେଷ୍ଟା କରୁଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ମାମଲାରେ ସମୀକ୍ଷା ଆବେଦନ ନକରିବାକୁ ଯାଦବଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଛି ।
ଅନୁରାଗ ଏହାକୁ ଯାଦବଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ପଦକ୍ଷେପରୁ ତାଙ୍କୁ ବଞ୍ଚିତ କରିବାକୁ ଏହା ପାକିସ୍ତାନର ଏକ ଲଜ୍ଜାଜନକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ବୁଧୁବାର ଦିନ ଅପରାହ୍ନ ପୂର୍ବରୁ ପାକିସ୍ତାନ କହିଥିଲା ଯେ ଯାଦବ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାକୁ ମନା କରି ଦେଇଛନ୍ତି । ହେଲେ ସନ୍ଧ୍ୟାରେ ପାକିସ୍ତାନ ନିଜ ନିଷ୍ପତିରେ ପଲଟି ଯାଇଥିଲା, ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଜାହିଦ ହାଫିଜ ଏବଂ ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଅହମ୍ମଦ ଇରଫାନ କହିଛନ୍ତି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛି । ସେ କହିଛନ୍ତି ଯେ ଇସଲାମାବାଦରେ ଯାଦବ କିମ୍ବା ତାଙ୍କର ଆଇନ ପ୍ରତିନିଧୀ କିମ୍ବା ଭାରତର ପରାମର୍ଶଦାତା ଅଧିକାରୀଙ୍କ ଦ୍ୱାରା ସମୀକ୍ଷା ଆବେଦନ କରାଯାଇପାରିବ।
ସୂଚନାଯୋଗ୍ୟ ଯେ, ଯାଦବ (50) ଜଣେ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀଙ୍କୁ ଏପ୍ରିଲ 2017 ରେ 'ଗୁପ୍ତଚର ତଥା ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିବା ' ଅଭିଯୋଗରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା । ହେଲେ କିଛି ସପ୍ତାହ ପରେ, ଯାଦବଙ୍କୁ କୂଟନୈତିକ ସାହାର୍ଯ୍ୟ ଦିଆଯାଉନଥିବା ତଥା ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ଭାରତ ଏହି ମାମଲାକୁ ଆଇସିଜେରେ ଉଠାଇଥିଲା । ହେଗ ସ୍ଥିତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ଗତ ବର୍ଷ ଜୁଲାଇରେ କହିଥିଲେ ଯେ ପାକିସ୍ତାନ ଏହି ମୃତ୍ୟୁଦଣ୍ଡର ରାୟକୁ ସମୀକ୍ଷା କରିବା ସହ ବିଳମ୍ବ ନକରି ଯାଦବଙ୍କୁ ତୁରନ୍ତ କୂଟନୈତିକ ସୁବିଧା ପ୍ରଦାନ କରିବା ଉଚିତ ବୋଲି ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।