ଭୁବନେଶ୍ବର: ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ଏକ ଘରୋଇ ସି-ଫୁଡ୍ ପ୍ରକ୍ରିୟାକରଣ କାରଖନାରେ ଗତ ୨୧ ତାରିଖ ଦିନ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ମହିଳା ଶ୍ରମିକ ହେଲେ ଦୀପାଞ୍ଜଳି ଜୁଆଙ୍ଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ମୋଟ ୧୦ରେ ପହଞ୍ଚିଛି।
ରିପୋର୍ଟ ଅନୁସାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଗୋନାଶିକା ପଞ୍ଚାୟତ ତଳ ରାଇଡିହା ଗ୍ରାମର ସ୍ବର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ (୨୦)ଙ୍କ ମୃତ୍ୟୁ ଘଟିଛି। ସେ ପ୍ରାୟ ୪ ମାସ ପୂର୍ବରୁ ଅନ୍ୟମାନଙ୍କ ସହିତ ରୋଜଗାର ଆଶାରେ ତାମିଲନାଡୁ ଯାଇଥିଲେ। ଦୀପାଞ୍ଜଳିଙ୍କ ମୃତ୍ୟୁ ଖବର ପାଇ ପରିବାର ପୁରା ଭାଙ୍ଗି ପଡ଼ିଥିବା ବେଳେ ପୁରା ଗୋନାଶିକାରେ ଶୋକ ର ଛାୟା ଖେଳି ଯାଇଛି। କେନ୍ଦୁଝର ଜିଲ୍ଲାର ଆହୁରି ଅନେକ ଜୁଆଙ୍ଗ ଯୁବତୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଏହି ଦୁର୍ଘଟଣା ଏବେ ସୁଦ୍ଧା ୧୨ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ ୧୦ ଜଣ ଓଡ଼ିଶାର ହୋଇଥିବା ବେଳେ ୨ ଜଣ ଆସାମର ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଅସୁସ୍ଥ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ମଧ୍ୟ ଓଡ଼ିଶାର ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଛି। ତାମିଲନାଡୁ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ୬୦ରୁ ଊର୍ଦ୍ଧ୍ବ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେଥିରୁ ୩୦ରୁ ଅଧିକ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ଟ୍ରକ୍ ସହ ଯାତ୍ରୀବାହୀ ଗାଡ଼ି ଧକ୍କା: ଘଟଣାସ୍ଥଳେ ୭ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର