ଉଦୟପୁର, ଜୁନ୍ ୩୦ (ଖବର ଓଡ଼ିଶା): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଜି ଉଦୟପୁରରେ କହ୍ନେୟାଲାଲଙ୍କ ପରିବାର ଲୋକଙ୍କୁ ଭେଟିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଉଦୟପୁରର ଆଇନ ବ୍ୟବସ୍ଥା ନେଇ ବୈଠକ କରିବେ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ପୀଡିତ ପରିବାରକୁ ଭେଟିବା ପୂର୍ବରୁ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଥିଲେ । ଏଥି ସହିତ ପରିବାରର ୨ ଜଣଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସ୍ୱାନ୍ତନା ପ୍ରଦାନ କରିବେ ।
ଉଦୟପୁରର ଟେଲର କହ୍ନେୟାଲାଲଙ୍କୁ ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି । ରାଜସମନ୍ଦରେ ଭୀମ କସ୍ବେରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତ ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଅପିଲ କରୁଛନ୍ତି । କୌଣସି ବ୍ୟକ୍ତି ହତ୍ୟାକାଣ୍ଡର ଭିଡିଓ ଭାଇରାଲ ନ କରନ୍ତୁ । ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିସାରିଛି ।
ଉଦୟପୁର ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତ ଆଜି ସନ୍ଧ୍ୟାରେ କନଷ୍ଟେବଳ ସନ୍ଦୀପ ଚୌଧୁରୀଙ୍କୁ ଭେଟିବେ । ରାଜସମନ୍ଦରେ ବୁଧବାର ବିରୋଧ ପ୍ରଦର୍ଶନ ସମୟରେ ସେ ଆହତ ହୋଇଥିଲେ । ପ୍ରଦର୍ଶନକୁ ନିୟନ୍ତ୍ରିତ କରିବା ଲାଗି ପୋଲିସ ୧୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲା ।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହମ୍ମଦ ରିୟାଜ ଅତ୍ତାରୀ ଓ ଗୌସ ମହମ୍ମଦଙ୍କୁ ଗିରଫ କରିଛି । ଏହି ଘଟଣା ପରେ ରାଜସ୍ଥାନରେ ଉତ୍ତେଜନା ଦେଖାଯାଇଛି ।