ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଲା: ଶହିଦଙ୍କ ପତ୍ନୀ କହିଲେ- ପୁଅ ନେବ ପ୍ରତିଶୋଧ
Khabar Odisha:Nation-Plwama-attack-martyr-Ratan-Thakur-wife-says-my-son-will-take-revenge-against-terrorist

ଭାଗଲପୁର, ଫେବୃଆରୀ ୧୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ପୁଲୱାମା ଆକ୍ରମଣକୁ ଏକ ବର୍ଷ ପୂରିଛି । ଠିକ ଏକ ବର୍ଷ ପୂର୍ବରୁ ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ବସରେ ଯାଉଥିବା ସିଆରପିଏଫର ୪୦ ଜଣ ଯବାନ ଶହିଦ ହୋଇଥିଲେ । ଏଥିରେ ଥିଲେ ବିହାର ରାଜ୍ୟର ଭାଗଲପୁର ଜିଲ୍ଲା ମଦାରଗଞ୍ଜର ରତନ ଠାକୁର । ଶହିଦ ଠାକୁରଙ୍କ ପରିବାର ଲୋକେ ବର୍ଷେ ପୂର୍ବରୁ ଘଟିଥିବା ଘଟଣାକୁ ଭୁଲିପାରି ନାହାନ୍ତି । ଶହିଦ ରତନ ଠାକୁରଙ୍କ ପତ୍ନୀ ରାଜ ନନ୍ଦିନୀ ପାକିସ୍ତାନକୁ ରାଗିଛନ୍ତି । ତାଙ୍କର କ୍ରୋଧ ଆଜି ବି କମିନାହିଁ । 

ରାଜ ନନ୍ଦିନୀ ଆଜି ଶହିଦ ସ୍ୱାମୀ ରତନକୁ ଝୁରୁଛନ୍ତି । ସେ ସ୍ୱାମୀ ବିନା ଜୀବନ ବିତାଉଛନ୍ତି । କିନ୍ତୁ ପୁଲୱାମା ଆକ୍ରମଣ ସଂପର୍କରେ ସେ କହିଛନ୍ତି କି ମୋର ପୁଆ ବଡ଼ ହେଲା ସେନାରେ ଯୋଗଦେବ ଏବଂ ଆତଙ୍କବାଦୀଙ୍କୁ ଗୁଳି କରି ପିତାଙ୍କ ପ୍ରତିଶୋଧ ନେବ । 

ରତନ ଠାକୁର ଶହିଦ ହେବା ପରେ ପରିବାର ଲୋକଙ୍କୁ ବିଭିନ୍ନ ପ୍ରକାରର ସହଯୋଗର ହାତ ବଢ଼ିଛି । ଏବେବି ସହାୟତାର ଆବଶ୍ୟକତା ରହିଛି ବୋଲି ପତ୍ନୀ କୁହନ୍ତି । ବିହାର ସରକାର ଶହିଦ ରତନ ଠାକୁରଙ୍କ ଜଣେ ଭାଇଙ୍କୁ ସରକାରୀ ଚାକିରି ଦେଇଛନ୍ତି । ଏକ ଘରୋଇ ସ୍କୁଲରେ ଶହିଦ ପୁଅଙ୍କୁ ମାଗଣାରେ ପାଠପଢ଼ା ବ୍ୟବସ୍ଥା କରିଛନ୍ତି । 

ଶହିଦ ରତନଙ୍କ ଭାଇ କୁହନ୍ତି, କେନ୍ଦ୍ର ସରକାର ରାଜଧାନୀରେ ଘର ଦେବାକୁ କହିଥିଲେ କିନ୍ତୁ ଏହା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେମାନେ ଏବେ ବି ଭଡ଼ା ଘରେ ଜୀବନ ବିତାଉଛନ୍ତି । ବିହାର ସରକାର ଗାଁର ନାମ, ସ୍କୁଲର ନାମ, ପଂଚାୟତର ନାମ ଶହିଦଙ୍କ ନାମରେ ରଖିବାକୁ ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟ ପୂରା ହୋଇପାରି ନାହିଁ । ଅମ୍ବାନୀ ଫାଉଣ୍ଡେସନ ତରଫରୁ ଭରସା ମିଳିଥିଲା । ତାହା ମଧ୍ୟ କିଛି ହେଲା ନାହିଁ । 

କେବଳ ଶହିତ ରତନଙ୍କ ପରିବାରକୁ ଏପର୍ଯ୍ୟନ୍ତ ୩୬ ଲକ୍ଷ ଟଙ୍କା ମିଳିଛି । ଏହା ସିଆରପିଏଫ ଓ ବିହାର ସରକାରଙ୍କ ବ୍ୟତୀତ ସମାଜସେବୀମାନେ ଦେଇଛନ୍ତି । ଶହିଦ ରତନ ଠାକୁରଙ୍କୁ ଆଜି କେମିତି ଶ୍ରଦ୍ଧାଞ୍ଜଳି ଦେବୁ, ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ପତ୍ନୀ ରାଜ ନନ୍ଦିନୀ କୁହନ୍ତି ଫଟୋ ରଖି ଶ୍ରଦ୍ଧାଞ୍ଜଳି ଦେବୁ । 

 

  • Tags:

Subscribe

National International State Sports Entertainment