ଗୁଆହାଟୀ, ମେ ୨୨ (ଖବର ଓଡ଼ିଶା): ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିଛି । ୩୧ଟି ଜିଲ୍ଲାର ୬ ଲକ୍ଷ ୮୦ ହଜାର ଲୋକ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ନଗାଓ, ହେଜାଇ, ଚଚର, ଡେରାଙ୍ଗ, ମାରିଗାଓ ଓ କରିମଗଙ୍ଗରେ ସ୍ଥିତି ଆହୁରି ଅଧିକ ଖରାପ ।
ଆସାମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ନଗାଓ ଜିଲ୍ଲାରେ କେବଳ ୩.୪୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଚଚର ଜିଲ୍ଲାରେ ୧.୭୮ ଲକ୍ଷ, ହାଜୋଇରେ ୭୦,୨୩୩, ଡେରାଙ୍ଗରେ ୪୪,୩୮୨, ମୋରିଗାଓରେ ୧୭,୭୭୬ ଓ କରିମଗଂଜରେ ୧୬,୩୮୨ ଲୋକ ପ୍ରଭାବିତ ହୋଇଛନ୍ତି । ଶୁକ୍ରବାର ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
ହୋଜାଇ ଜିଲ୍ଲାରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଇନ୍ସପେକ୍ଟର ମହିପ ମୌର୍ଯ୍ୟ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଆମର ଟିମ୍ ନିୟୋଜିତ ଅଛନ୍ତି । ଏପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନେକ ଲୋକ ସେମାନଙ୍କ ଘରକୁ ଯିବାକୁ ଚାହାନ୍ତି ନାହିଁ । ତେଣୁ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାମରେ ନିୟୋଜିତ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ବିତରଣ କରୁଛି ।
ରିପୋର୍ଟ ଅନୁସାରେ ୯୩,୫୬୨.୪୦ ହେକ୍ଟର ଜମିରେ ଜଳ ରହିଛି । ୨୨୪୮ଟି ଗାଁ ପାଣି ଭିତରେ ଅଛି । ୭୪,୯୦୭ ଲୋକ ବନ୍ୟାପାଣି ଭିତରେ ଅଛନ୍ତି । ଏଥିପାଇଁ ୨୮୨ଟି ରିଲିଫ ଶିବିର କରାଯାଇଛି । ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ପଶୁ ପ୍ରଭାବିତ ହୋଇଛନ୍ତି । ମୋଟ ୨୪ହଜାର ୭୪୯ ଜଣଙ୍କୁ ଉଦ୍ଧାର କରାଯାଇଛି ।