ନୂଆଦିଲ୍ଲୀ, ଜୁନ୍ ୨୪ (ଖବର ଓଡ଼ିଶା): କୋଭିଡ ସଂକଟ ସମୟରେ କରୋନା ଟିକା ବିଶ୍ୱବ୍ୟାପୀ ପାଖାପାଖି ୨ କୋଟି ଲୋକଙ୍କ ସମ୍ଭାବିତ ମୃତ୍ୟୁ ଅଟକାଇଛି । ଲାନସେଟ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି । ଲାନସେଟ୍ ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ଆସିଥିବା କୋଭିଡ-୧୯ ସଂକଟ ଉପରେ ମଧ୍ୟ ଏଥିରେ ଚର୍ଚ୍ଚା କରାଯାଇଛି । ଏଥିରେ କୁହାଯାଇଛି ଯେ, କରୋନା ଟିକା ଏଠାରେ ପାଖାପାଖି ୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଅର୍ଥାତ କରୋନା ଟିକା ନଥିଲେ ଭାରତରୁ ୪୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଥାଆନ୍ତା ।
ଏହି ଅଧ୍ୟୟନରେ ୨୦୨୦ ଡିସେମ୍ବରରୁ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ତଥ୍ୟ ନିଆଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରା କରାଯାଇ ପାରିଥାନ୍ତା, ତା’ହେଲେ ୫ ଲକ୍ଷ ୯୯ ହଜାର ୩୦୦ ଲୋକଙ୍କର ଜୀବନ ବଞ୍ଚି ଯାଇଥାନ୍ତା ।
ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଥିଲା ଯେ, ୨୦୨୧ ଶେଷ ହେବା ପର୍ଯ୍ୟନ୍ତ ବିଶ୍ୱର ସବୁ ଦେଶରେ ୪୦ ପ୍ରତିଶତ ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଉ । କିନ୍ତୁ ଅନେକ କାରଣରୁ ଲକ୍ଷ୍ୟ ହାସଲ କରାଯାଇ ପାରି ନଥିଲା । ଏହି ଅଧ୍ୟୟନକୁ ଲଣ୍ଡନର ଇମିରିୟାଲ କଲେଜ କରିଛି । ଏଡି ସଂସ୍ଥାର ପ୍ରଫେସର ଓଲିଭର ୱାଟସନ କହିଛନ୍ତି ଯେ, ମଡେଲିଂ ଷ୍ଟଡି କହୁଛି ଯେ, କୋଭିଡ ଟିକାକରଣ କାରଣରୁ ଭାରତରେ ଲକ୍ଷାଧିକ ଲୋକଙ୍କର ଜୀବନ ବଞ୍ଚି ଯାଇଛି । ସେ କହିଛନ୍ତି ଯେ, ଟିକାକରଣ ବହୁତ ଭଲ କାମ କରିଥିଲା । ବିଶେଷ କରି ଭାରତ ଏଭଳି ରାଷ୍ଟ୍ର ଥିଲା, ଯେଉଁଠାରେ କି ଡେଲଟା ଭାରିଆଣ୍ଟ ତାଣ୍ଡବ ରଚିଥିଲା ।