ଶ୍ରୀନଗର, ଜୁନ୍ ୩୦ (ଖବର ଓଡ଼ିଶା): କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି । ପବିତ୍ର ଗୁମ୍ଫାକୁ ଭକ୍ତମାନେ ଗସ୍ତ କରିଛନ୍ତି । ବିଗତ ୨ ବର୍ଷ ପରେ ଭକ୍ତମାନେ ବରଫ ଲିଙ୍ଗ ଦେଖିପାରୁ ଥିବାରୁ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି । ଭକ୍ତମାନେ ପାହାଡ଼କୁ ଚଢୁଥିବା ବେଳେ ହର ହର ମହାଦେବ୍, ବମ୍ ବମ୍ ଭୋଲେ ଆଦି ଶ୍ଲୋଗାନ ଦେଉଛନ୍ତି ।
ଅମରନାଥ ଯାତ୍ରୀଙ୍କ ପାଇଁ ଜମ୍ମୁ କଶ୍ମୀର ପୋଲିସ ଓ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ପଥରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ସେନା ମଧ୍ୟ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିଛି । ଜଣେ ଭକ୍ତ କହିଛନ୍ତି ଯେ, ଅମରନାଥ ଯାତ୍ରାରେ ସାମିଲ ହୋଇ ନିଜକୁ ବହୁତ ଖୁସି ଅନୁଭବ କରୁଛି । ବାବା ଭୋଲେନାଥଙ୍କ ଦର୍ଶନକୁ ଅପେକ୍ଷା କରିଛି ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଭୋର ସକାଳୁ ଜମ୍ମୁସ୍ଥିତ କ୍ୟାମ୍ପରୁ ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଦେଇଥିଲେ । ଦୁଇ ବର୍ଷ ପରେ ଜୁନ ୩୦ରେ ଆରମ୍ଭ ହେଇଥିବା ଅମରନାଥ ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀମାନେ ଜମ୍ମୁ ପହଞ୍ଚିଥିଲେ । ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ, ଆମେ ବାବା ଭୋଲେନାଥଙ୍କ ପୂଜାର୍ଚ୍ଚନା କରିବା ଲାଗି ୨ ବର୍ଷ ହେଲା ଅପେକ୍ଷା କରିଥିଲୁ । ଏବେ ଅମରନାଥ ଯାତ୍ରାରେ ସାମିଲ ହେବାକୁ ଯାଉଥିବାରୁ ବହୁତ ଖୁସି ଅନୁଭବ କରୁଛୁ । ସୂଚନାଯୋଗ୍ୟ, ଚଳିତ ଥର ଅମରନାଥ ଯାତ୍ରାରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇପାରନ୍ତି । ୪୩ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ ।