ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ରାଜେ ସିନ୍ଧିଆଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ବୁଧବାର ସକାଳ ୯ଟା ୨୮ରେ ସେ ଅନ୍ତିମ ଶ୍ୱାସକ୍ରିୟା କରିଛନ୍ତି । ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେଲା ଏମ୍ସର ଭେଣ୍ଟିଲେଟରରେ ଥିଲେ ।
ମାଧବୀ ରାଜେଙ୍କ ଗତ ୩ ମାସ ହେବ ଦିଲ୍ଲୀ ପ୍ରମୁଖ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଥିଲା । ସେ ନିମୋନିଆ ସହିତ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ବିଗତ ଦିନରେ ତୃତୀୟ ପର୍ଯ୍ୟାୟରେ ମତଦାନ (ଗୁନା ଲୋକସଭା ନିର୍ବାଚନ ମଣ୍ଡଳୀ) ପୂର୍ବରୁ ମାଧବୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ଦିଲ୍ଲୀରେ ପରଲୋକ ପରେ ମାଧବୀ ରାଜେଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ମଧ୍ୟପ୍ରଦେଶର ଗ୍ୱାଲିୟର ନିଆଯିବ । ସୂଚନାଯୋଗ୍ୟ, ୧୯୬୬ ମସିହାରେ ଗ୍ୱାଲିୟରର ମହାରାଜ ଅର୍ଥାତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ନେପାଳର ରାଜକୁମାରୀ ମାଧବୀଙ୍କୁ ବିବାହ କରିଥିଲେ । ୨୦୦୧ ସେପ୍ଟେମ୍ବର ୩୦ରେ ମାଧବରାଓ ସିନ୍ଧିଆଙ୍କ ଉତ୍ତରପ୍ରଦେଶର ମେନପୁରୀ ନିକଟସ୍ଥ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।