ଶିମଲା: ହିମାଚଳ ପ୍ରଦେଶରେ ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେବ। ହିମାଚଳ ପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଙ୍ଗଳବାର ଏ ସଂକ୍ରାନ୍ତରେ ଏକ ସଂଶୋଧନ ବିଲ୍ ଆଗତ କରାଯାଇଛି, ଯାହା ସ୍ୱରଭୋଟରେ ଗୃହୀତ ହୋଇଛି।
ଏବେ ଏହି ବିଲ୍କୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ଏହାପରେ ଏହି ବିଲ୍ ଆଇନରେ ପରିଣତ ହୋଇ ଏହାକୁ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ହିମାଚଳରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ରହିଛି। ସରକାର ଏହାକୁ ୩ ବର୍ଷ ବୃଦ୍ଧି କରିଛନ୍ତି।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଧନୀ ରାମ ଶାଣ୍ଡିଲ ବାଲ୍ୟ ବିବାହ ନିଷେଧ (ହିମାଚଳ ପ୍ରଦେଶ ସଂଶୋଧନ ବିଲ୍-୨୦୨୪) ଗୃହରେ ଉପସ୍ଥାପନ କରିଥିଲେ। ଏହି ବିଲ୍ ପାରିତ ହେବା ଦ୍ୱାରା ଝିଅମାନେ ଆଗକୁ ବଢ଼ିବାର ସୁଯୋଗ ପାଇବେ ବୋଲି ଶାଣ୍ଡିଲ କହିଛନ୍ତି। ଏବେ ବି କିଛି ଲୋକ କମ୍ ବୟସରେ ଝିଅମାନଙ୍କୁ ବିବାହ କରିଥାନ୍ତି। ଏହି କାରଣରୁ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି ଏବଂ ଜୀବନରେ ଆଗକୁ ବଢ଼ି ପାରୁନାହାନ୍ତି। ବିବାହ ବୟସ ବଢ଼ାଇବାକୁ ସରକାର ଚାହୁଁଛନ୍ତି। ଝିଅମାନଙ୍କର କମ ବୟସରେ ବିବାହ କରିବା ଦ୍ୱାରା ମା' ହେବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।
ଅଧିକ ପଢ଼ନ୍ତୁ: ୬ ଆତଙ୍କବାଦୀ ଗିରଫ, ପିସ୍ତଲ-ଗୁଳି ଜବତ