ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଓ ରତ୍ନଗିରିରେ ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା କାରଣରୁ କେତେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏହି କାରଣରୁ ମହାରାଷ୍ଟ୍ର-ଗୋଆ ରୁଟ୍ରେ ଏକାଧିକ ଟ୍ରେନ୍ ଚଳାଚଳ ଅସ୍ଥାୟୀ ଭାବେ ବାତିଲ କରି ଦିଆଯାଇଛି।
କୋକଣ ରେଳପଥର ମୁଖପାତ୍ର କହିଛନ୍ତି, ଭୂସ୍ଖଳନ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବିହ୍ନେର (ରାୟଗଡ଼) ଓ ଦୀୱାନ ଖାୱତୀ (ରତ୍ନଗିରି) ଷ୍ଟେସନ ମଝିରେ ଏକ ସୁଡଙ୍ଗ ବାହାରେ ହୋଇଛି। ଗଣମାଧ୍ୟମକୁ ସେ କହିଛନ୍ତି ରେଳଧାରଣାରେ ଭୂସ୍ଖଳନ ହୋଇଥିବାରୁ ଟ୍ରେନ୍ ଚଳାଚଳ ଅସ୍ଥାୟୀ ଭାବେ ବାତିଲ କରିଦିଆଯାଇଛି। ଉଦ୍ଧାର କାମ ସଂପନ୍ନ ହେଲା ପରେ ପୁଣି ଥରେ ଟ୍ରେନ୍ ଚଳାଚଳ କରିବ।
ଭୂସ୍ଖଳନ ଯୋଗୁଁ ଦିୱା-ରତ୍ନଗିରି ପାସେଞ୍ଜର, ମୁମ୍ମାଇ-ସିଏସ୍ଏମ୍ଟି-ମେଙ୍ଗାଲୁରୁ ଜଙ୍କସନ, ମୁମ୍ବାଇ-ସିଏସ୍ଏମ୍ଟି-ମଣ୍ଡଗାଁ ୩ଟି ଟ୍ରେନ୍, ରତ୍ନଗିରି-ଦିୱା, ଦିୱା-ସାୱନ୍ତବାଡ଼ି ରୋଡ ଏକ୍ସପ୍ରେସ୍, ସାୱନ୍ତବାଡିରୋଡ-ମଣ୍ଡଗାଓ ଟ୍ରେନ୍ ବାତିଲ କରିଦିଆଯାଇଛି।
ରେଳବାଇ କହିଛି, ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଙ୍କଡ ଲାଇନରେ ବିଭିନ୍ନ ଷ୍ଟେସନରେ ଦୂରଗାମୀ ଟ୍ରେନ୍କୁ ଅଟକାଇ ଦିଆଯାଇଛି। ରେଳଧାରଣା ସଫା ହେଲା ପରେ ପୁଣି ଥରେ ଟ୍ରେନ୍ ଚଳାଚଳ କରିବ।