ବେଙ୍ଗାଲୁରୁ: ଦେଶରେ ‘ନିଟ୍’କୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଗୋଟିଏ ରାଜ୍ୟ ନିଷ୍ପତ୍ତି ନେଇଛି ଯେ, ଏଠାରେ ମେଡିକାଲ ପ୍ରବେଶିକା ପରୀକ୍ଷା ହେବ ନାହିଁ। ଏଠାରେ କର୍ଣ୍ଣାଟକର କଥା ଆଲୋଚନା ହେଉଛି। ନିଟ୍ ପେପର ଲିକ୍ ନେଇ ଉତ୍ତେଜନା ଜାରି ଥିବା ବେଳେ କର୍ଣ୍ଣାଟକ ସରକାର ନୂଆ ବିଲ୍ ପାସ୍ କରିଛନ୍ତି। କଂଗ୍ରେସ ନେତୃତ୍ବରେ ପରିଚାଳିତ କର୍ଣ୍ଣାଟକର ସରକାର ନିଟ୍କୁ ବାତିଲ କରିବା ଭଳି ପ୍ରସ୍ତାବ ସଂପର୍କିତ ବିଲ୍ରେ ନିଜର ସହମତି ଜଣାଇଛି। ରାଜ୍ୟ କ୍ୟାବିନେଟ୍ର ସୋମବାର ବୈଠକରେ ଏହି ବିଲ୍ ପାସ୍ ହୋଇଛି।
କର୍ଣ୍ଣାଟକରେ ଅଣାଯାଇଥିବା ବିଲ୍ ନିଟ୍ ପରୀକ୍ଷା ବିରୋଧରେ। ଏଥିରେ ନିଟ୍ର ସ୍ଥାନରେ ଅନ୍ୟ ମେଡିକାଲ ପରୀକ୍ଷା କରାଇବା ଅଥବା ପୁଣି ନିଟକୁ କର୍ଣ୍ଣାଟକରେ କମନ ଏଣ୍ଟ୍ରାନ୍ସ ଟେଷ୍ଟ (ସିଇଟି) ସହିତ ଯୋଡ଼ିବା ନେଇ ପ୍ରସ୍ତାବ ଆସିଛି। ବିଲ୍କୁ କର୍ଣ୍ଣାଟକ ବିଧାନ ସୌଧରେ ଉପସ୍ଥାପନ କରାଯିବ। ଏଥିରେ ସରକାର ଚହିଁଛନ୍ତି ଯେ ରାଜ୍ୟକୁ ଦ୍ବାଦଶ ଶ୍ରେଣୀର ନମ୍ବର ଆଧାରରେ ମେଡିକାଲ କୋର୍ସରେ ନାମଲେଖା ପାଇଁ ଅନୁମତି ଦିଆଯାଉ। ନିଟ୍ ଲାଗୁ ହେବା ପୂର୍ବରୁ ଏହି ଭଳି ଭାବେ ମେଡିକାଲ ନାମଲେଖା ଯାଉଥିଲା।
କର୍ଣ୍ଣାଟକ ସରକାରଙ୍କ ତରଫରୁ ନିଷ୍ପତ୍ତି ଏଭଳି ଏକ ସମୟରେ ଆସିଛି, ଯେତେବେଳେ ନିଟ୍-ୟୁଜି ପରୀକ୍ଷା କଥିତ ଭାବେ ପେପର ଲିକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଜାରି ରହିଛି। ଯଦି ଏହି ବିଲ୍ ରାଜ୍ୟ ବିଧାନସଭାରୁ ପାସ୍ ହୋଇଯିବ, କର୍ଣ୍ଣାଟକର ମେଡିକାଲ କଲେଜରେ ଅଣ୍ଟର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ମାତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ନିଟ୍ ସ୍ଥାନ ନେବାକୁ ଥିବା ପରୀକ୍ଷାକୁ କ’ଣ କୁହାଯିବ। କେବଳ କର୍ଣ୍ଣାଟକ ନୁହେଁ। ପଡୋଶୀ ତାମିଲନାଡୁରେ ମଧ୍ୟ ନିଟ୍ ବିରୋଧରେ ପ୍ରସ୍ତାବ ଆସିଛି।