ଆଡିଲେଡ୍: ଭାରତ ବିପକ୍ଷ ପିଙ୍କ୍ ବଲ୍ ଟ୍ରଫିର ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଦଳର ମୁଖ୍ୟ ଦ୍ରୁତବୋଲର ଜୋଶ ହେଜେଲଉଡ୍ ଆହତ ହୋଇ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଦିବାରାତ୍ର ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଚୟନକର୍ତ୍ତାମାନେ ଏବେ ହାଜେଲଉଡ୍ଙ୍କ ସ୍ଥାନରେ ଦୁଇ ଜଣ ଅଣକ୍ୟାପ୍ଡ ଖେଳାଳି ସିନ୍ ଆବୋଟ୍ ଏବଂ ବ୍ରେଣ୍ଡନ୍ ଡୋଗେଟ୍ଙ୍କୁ ଦଳରେ ସାମିଲ କରିଛନ୍ତି।
କ୍ରିକେଟ୍ ଅଷ୍ଟ୍ରେଲିଆ ଶନିବାର ଏକ ବିବୃତିରେ କହିଛି, ଅଷ୍ଟ୍ରେଲିଆର ଦ୍ରୁତବୋଲର ଜୋଶ ହେଜେଲଉଡ୍ ଆଡିଲେଡ୍ରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟ୍ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ବାମପାର୍ଶ୍ୱରେ ସାମାନ୍ୟ ଆଘାତ ଲାଗିଥିବାରୁ ଜୋଶ ହେଜେଲଉଡ୍ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ସିରିଜର ଅବଶିଷ୍ଟ ସମୟ ପାଇଁ ପ୍ରସ୍ତୁତି କରିବା ପାଇଁ ହେଜଲଉଡ୍ ଆଡିଲେଡରେ ଦଳ ସହ ରହିବେ।
ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ବୋଲର ଭାବେ ଜୋଶ ହେଜଲଉଡ୍ ୨୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଭାରତ ଏହି ଟେଷ୍ଟରେ ୧୫୦ ରନ୍ରେ ଅଲଆଉଟ୍ ହୋଇଥିଲା। ଦ୍ବିତୀୟ ଇନିଂସରେ ଏହି ଦ୍ରୁତବୋଲର ୨୧ ଓଭରରେ ୨୮ ରନ୍ ଦେଇ ୧ ୱିକେଟ୍ ନେଇଥିଲେ। ଶେଷ ଥର ପାଇଁ ଆଡିଲେଡରେ ଭାରତ ଖେଳିଥିବା ମ୍ୟାଚ୍ରେ ହେଜେଲଉଡ୍ ମଧ୍ୟ ଅଷ୍ଟ୍ରେଲିଆର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଥିଲେ, ସେ ୫ ଓଭରରେ ୮ ରନ୍ ଦେଇ ୫ ୱିକେଟ୍ ନେଇଥିଲେ ଏବଂ ଭାରତ ୩୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଦ୍ରୁତବୋଲର ଡୋଗେଟ୍ ଚଳିତ ଋତୁରେ ୩ଟି ସିଲ୍ଡ ମ୍ୟାଚ୍ରେ ୩୪.୨୭ ହାରରେ ୧୧ଟି ୱିକେଟ୍ ନେଇଛନ୍ତି। ଯଦି ୩୦ ବର୍ଷୀୟ ଡୋଗେଟ୍ଙ୍କୁ ଦଳରେ ସ୍ଥାନ ମିଳେ, ତେବେ ସେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ୍ କ୍ରିକେଟ୍ ଖେଳିବାରେ ପଞ୍ଚମ ଦେଶୀ କ୍ରିକେଟର୍ ହେବେ। ସେମାନଙ୍କ ପୂର୍ବରୁ ଜେସନ୍ ଗିଲେସ୍ପି, ଫେଥ୍ ଥୋମାସ, ଆଶ ଗାର୍ଡନର ଓ ସ୍କଟ୍ ବୋଲାଣ୍ଡଙ୍କୁ ଏହି ସୁଯୋଗ ମିଳିଥିଲା। ସେହିପରି ୩୨ ବର୍ଷୀୟ ସିନ୍ ଆବୋଟ୍ ଧଳା ବଲ୍ରେ ଅଷ୍ଟ୍ରେଲିଆ ପାଇଁ ଭଲ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଅକ୍ଟୋବର ୨୦୧୪ରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ସେ ୨୬ ଦିନିକିଆ ଓ ୨୦ ଟି-୨୦ ମ୍ୟାଚ୍ ଖେଳିଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି। ଆବଟ ଚଳିତ ସିଜନରେ ଦୁଇଟି ସିଲ୍ଡ ମ୍ୟାଚ୍ ରେ ୧୯.୮୪ ହାରରେ ୧୩ ୱିକେଟ୍ ନେଇଛନ୍ତି।
ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ବିବାଦକୁ ନେଇ ମୁହଁ ଖୋଲିଲେ ଆଫ୍ରିଦୀ