ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ପ୍ରତିଷ୍ଠାତା ଶିବୁ ସୋରେନ ଆଉ ନାହାନ୍ତି। ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ପୁଅ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ସମ୍ମାନିତ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି। ଆଜି ମୁଁ ଖାଲି ହାତରେ ରହିଯାଇଛି ଅର୍ଥାତ ଶୂନ୍ୟ ହୋଇଗଲି।
ଶିବୁ ସୋରେନ୍ ଅନେକ ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୀର୍ଘ ଅସୁସ୍ଥତା ପରେ ସେ ସୋମବାର ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୁନ୍ ୧୯ ତାରିଖରୁ ସେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସମେତ ଅନେକ ଜେଏମଏମ ନେତା ଶିବୁ ସୋରେନ୍ଙ୍କ ଶେଷ ମୁହୂର୍ତ୍ତରେ ତାଙ୍କ ସହିତ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଶିବୁ ସୋରେନ୍ଙ୍କର ବୟସାଧିକ କାରଣରୁ ଅନେକ ରୋଗ ଥିଲା। ଏହା ସହିତ, ତାଙ୍କର ବୃକକ୍ ଅର୍ଥାତ୍ କିଡନୀ ରୋଗ ମଧ୍ୟ ଥିଲା। ଶିବୁ ସୋରେନ୍ ଗତ କିଛି ଦିନ ଧରି ହ୍ୱିଲ୍ ଚେୟାରରେ ଥିଲେ। ସେ ହ୍ୱିଲ୍ ଚେୟାରରେ ଜେଏମଏମ ଜାତୀୟ ସମ୍ମିଳନୀରେ ମଧ୍ୟ ଆସିଥିଲେ।
୨୦୨୦ ମସିହାରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେବେଠାରୁ ଶିବୁ ସୋରେନ୍ ରାଜନୀତିରେ ବହୁତ ସକ୍ରିୟ ଦେଖାଯାଇ ନଥିଲେ। ତଥାପି ସେ ଜେଏମଏମକୁ ମାର୍ଗଦର୍ଶନ କରି ଚାଲିଥିଲେ।
ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ମୁଁ ଯେଉଁ ଅଞ୍ଚଳରୁ ସାଂସଦ, ତାହା ଗୁରୁଜୀଙ୍କ ଅଞ୍ଚଳ। ତାଙ୍କର ବ୍ୟକ୍ତିତ୍ୱ ବହୁତ ମହାନ ଥିଲା। ତାଙ୍କ ଆଚରଣ କିମ୍ବା ଚିନ୍ତାଧାରା ସହିତ କାହାର କୌଣସି ସମସ୍ୟା କେବେ ହୋଇନଥିଲା। ଶିବୁ ସୋରେନଙ୍କ ସହିତ ସାଂସଦ ଭାବରେ ବହୁ ବର୍ଷ ଧରି କାମ କରିବାର ସୁଯୋଗ ପାଇଲି। ସେ ସବୁବେଳେ ଆମକୁ ମାର୍ଗଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ: ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ କେବେ ଚାଲିବ?