ୟୁଏସ ସେନା ହଟିବା ମାତ୍ରେ ସିରିଆ ଉପରେ ତୁର୍କୀର ଏୟାର ଷ୍ଟ୍ରାଇକ, ଭାରତର ତୀବ୍ର ବିରୋଧ
Khabar Odisha:international-odisha-india-called-upon-turkey-to-respect-the-sovereignty-of-syria
ନୂଆଦିଲ୍ଲୀ,ଅକ୍ଟୋବର୧୦(ଖବର ଓଡ଼ିଶା):

ଆମେରିକା ସେନା ହଟିବା ନିଷ୍ପତ୍ତିର ତୁରନ୍ତ ପରେ ତୁର୍କୀ ନିଜର ପଡ଼ୋଶୀ ଦେଶ ସିରିଆରେ ଏୟାର ଷ୍ଟ୍ରାଇକ କରିବା ଆରମ୍ଭ କରି ଦେଇଛି। ଏଥିରେ ସାଧାରଣ ଲୋକଙ୍କ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ମାତ୍ର ତୁର୍କୀ କହୁଛି ଯେ, ସେ କୁର୍ଦ ବଳ ଓ ଇସଲାମିକ ଷ୍ଟେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି। ତୁର୍କୀ କୁର୍ଦ ବଳକୁ ଆତଙ୍କୀ ରୂପେ ବିବେଚନା କରେ। ଅନ୍ୟପଟେ ତୁର୍କୀର ଏକତରଫା କାର୍ଯ୍ୟାନୁଷ୍ଠାନ ଉପରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଭାରତ କହିଛି ଯେ ତୁର୍କୀକୁ ସିରିଆର କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବା ଉଚିତ୍। 

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଯେ, ଭାରତ ପୂର୍ବୋତ୍ତର ସିରିଆରେ ତୁର୍କୀର ଏକତରଫା  ସୈନ୍ୟ ଆକ୍ରମଣ ଉପରେ ଗଭୀର ଚିନ୍ତା ପ୍ରକଟ କରୁଛି। ତୁର୍କୀର ଏହି ପଦକ୍ଷେପ କ୍ଷେତ୍ରରେ ସ୍ଥିରତା ଓ ଆତଙ୍କବାଦ ବିରୁଦ୍ଧ ଲଢେଇକୁ ଦୁର୍ବଳ କରିଦେବ। ଏଥିରେ ମାନବୀୟ ସଂକଟ ଉତ୍ପନ ହେବାର ସମ୍ଭାବନା ରହିଛି।

ମନ୍ତ୍ରଣାଳୟ କହିଛି, ଆମେ ତୁର୍କୀକୁ ଅପିଲ କରୁଛୁ ଯେ, ସେ ସିରିଆର ଅଖଣ୍ଡତା ଓ ସାର୍ବଭୌମତାର ସମ୍ମାନ କରୁ ଓ ସଂଯମ ରଖୁ। ଆମେ ଆଲୋଚନା ଓ ଚର୍ଚ୍ଚା ମାଧ୍ୟମରେ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଅପିଲ କରୁଛୁ।

କଣ ଏହି ପୂରା ମାମଲା

କିଛି ଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିରିଆ-ତୁର୍କୀ ସୀମାରେ ମୁତୟନ ନିଜର ସୈନିକକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ଆମେରିକା କହିଥିଲା ଯେ, ତୁର୍କୀକୁ ନିଜ ସମସ୍ୟାର ସମାଧାନ ନିଜେ କରିବାକୁ ପଡ଼ିବ। ଅନ୍ୟପଟେ ଯେବେ ତୁର୍କୀର ରାଷ୍ଟ୍ରପତି ରଜବ ତଇବ ଏର୍ଦୋଆନ ସିରିଆରେ ଆକାଶରୁ ଆକ୍ରମଣ କରିବାକୁ ଘୋଷଣା କଲେ, ଆମେରିକା ତୁର୍କୀକୁ ଚେତାବନୀ ଦେଇ କହିଥିଲା ଯେ, ଯଦି ନିଜ ସୀମା ଅତିକ୍ରମ କର ତେବେ ଓ୍ଵାଶିଂଟନ ତୁମର ଅର୍ଥବ୍ୟବସ୍ଥାକୁ ଧ୍ଵଂସ କରିଦେବ। 

ମାତ୍ର ତୁର୍କୀ ଉପରେ ଟ୍ରମ୍ପଙ୍କ ଏହି ଚେତାବନୀର ପ୍ରଭାବ ଦେଖିବାକୁ ମିଳିନାହିଁ। ରାଷ୍ଟ୍ରପତି ଏର୍ଦୋଆନ ବୁଧବାର ଘୋଷଣା କରିଛନ୍ତି ଯେ, ତୁର୍କୀ ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିବା ଆରମ୍ଭ କରି ଦେଇଛି। ସେ ଏହା ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଏହି ଆକ୍ରମଣରେ  ସାଧାରଣ ଜନତାଙ୍କୁ ନିଶାଣ କରାଯିବ ନାହିଁ, ଆକ୍ରମଣ କେବଳ କୁର୍ଦ ବଳ ଓ ଆଇଏସ ଉପରେ ହେବ। ଏହା ସହିତ କହିଛନ୍ତି ଯେ, ସିରିଆର ସାର୍ବଭୌମତାକୁ ସମ୍ମାନ କରାଯିବ। ମାତ୍ର ସ୍ଥାନୀୟ ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ସେମାନଙ୍କୁ ଏବେ ନିଜ ସୁରକ୍ଷାର ଚିନ୍ତା ଘାରିଛି।

Subscribe

National International State Sports Entertainment