ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ସପ୍ତମ ଦିନରେ ଶୁକ୍ରବାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏଯାଏଁ ଭାରତକୁ ମୋଟ ୩ଟି ପଦକ ମିଳିଛି।
ଗତକାଲି ସୁଟିଂରେ ସ୍ୱପ୍ନିଲ କୁସାଲେ ଦେଶକୁ କାଂସ୍ୟ ପଦକ ଦେଇଥିଲେ। ତାଙ୍କ ପୂର୍ବରୁ ଶୁଟିଂରେ ଷ୍ଟାର କ୍ରୀଡ଼ାବିତ୍ ମନୁ ଭାକର ଏବଂ ସରବଜୋତ ସିଂହ ମଧ୍ୟ କାଂସ୍ୟ ପଦକ ଦେଇଛନ୍ତି।
ଅଗଷ୍ଟ ୨ ତାରିଖ ଭାରତକୁ ଆଉ ଦୁଇଟି ପଦକ ମିଳିବାର ସମ୍ଭାବନା ରହିଛି। ଅପରାହ୍ନ ସାଢ଼େ ୧୨ଟାରୁ ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟରେ ମନୁ ଭାକର ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଇଶା ସିଂ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ମନୁ ପଦକର ହ୍ୟାଟ୍ରିକ୍ ଉପରେ ନଜର ରଖିବେ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ସେ କ୍ୱାର୍ଟର ଫାଇନାଲରେ ତାଇଓ୍ଵାନର ବ୍ୟାଡମିଣ୍ଟନ ଖେଳାଳି ଚାଉ ଟିଏନ୍ ଚେନ୍ଙ୍କୁ ଭେଟିବେ ଏବଂ ତାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବେ।