ସାଉଥାମ୍ପଟନ୍: ସାଉଥାମ୍ପଟନ୍ରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଛି। ଦୀପ୍ତି ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ସ୍ନେହ ରାଣାଙ୍କ ଉତ୍କୃଷ୍ଟ ବୋଲିଂ ଏହି ବିଜୟର କାରଣ ଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ହୋଇଛି। ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦ୍ରୁତ ବୋଲର କ୍ରାନ୍ତି ଗୌଡ୍ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂକୁ ନଷ୍ଟ କରିଦେଇଥିଲେ। ସେ ଟାମି ବିଉମୋଣ୍ଟ (୫) ଏବଂ ଏମି ଜୋନ୍ସ (୧)ଙ୍କୁ ଶୀଘ୍ର ଆଉଟ୍ କରିଥିଲେ। ଇଂଲଣ୍ଡର ସ୍କୋର ୨୦/୨ ଥିଲା। ଏମା ଲାମ୍ବ (୩୯ ରନ୍, ୫୦ ବଲ୍, ଚାରି ଚୌକା) ଏବଂ ଅଧିନାୟକ ନାଟ୍ ସାଇଭର ବ୍ରଣ୍ଟ (୪୧ ରନ୍, ୫୨ ବଲ୍, ପାଞ୍ଚ ଚୌକା) ମିଳିତ ଭାବରେ ୭୧ ରନ୍ର ଭାଗୀଦାରି କରିଥିଲେ। ଏହା ଇଂଲଣ୍ଡର ଇନିଂସ୍କୁ କିଛିଟା ସୁଧାରିବାରେ ସାହାଯ୍ୟ କରିଥିଲା। କିନ୍ତୁ, ସ୍ନେହ ରାଣା ଉଭୟଙ୍କୁ ଆଉଟ୍ କରିଥିଲେ। ଇଂଲଣ୍ଡର ସ୍କୋର ୨୦.୧ ଓଭରରେ ୯୭/୪ ହୋଇଗଲା।
ସୋଫିଆ ଡଙ୍କଲି (୮୩ ରନ୍, ୯୨ ବଲ୍, ୯ ଚୌକା) ଏବଂ ଡେଭିଡସନ୍ ରିଚାର୍ଡସ୍ (୫୩ ରନ୍, ୭୩ ବଲ୍, ଦୁଇଟି ଚୌକା) ଏକ ଶତକୀୟ ଭାଗୀଦାରି କରିଥିଲେ। ଏହା ଇଂଲଣ୍ଡକୁ ଏକ ବଡ଼ ବିପଦରୁ ରକ୍ଷା କରିଥିଲା। ଶେଷରେ ସୋଫି ଏକ୍ଲେଷ୍ଟୋନ୍ ୨୩ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। ଇଂଲଣ୍ଡ ୫୦ ଓଭରରେ ୨୫୮/୬ ସ୍କୋର କରିଥିଲା। ରାଣା ୨/୩୧ ଏବଂ ଗୌଡ୍ ୨/୫୫ ୱିକେଟ୍ ନେଇଥିଲେ। ଅମନଜୋତ କୌର ଏବଂ ଶ୍ରୀ ଚରଣି ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
୨୫୯ ରନ୍ର ଲକ୍ଷ୍ୟକୁ ପିଛା କରି ଭାରତର ପ୍ରାରମ୍ଭିକ ଯୋଡ଼ି ପ୍ରତୀକା ରାୱଲ୍ ଏବଂ ସ୍ମୃତି ମନ୍ଧାନା (୨୮) ଭଲ ଆରମ୍ଭ କରିଥିଲେ। ଉଭୟ ୪୮ ରନ୍ର ଭାଗୀଦାରି କରିଥିଲେ। ରାୱଲ୍ (୩୬) ହରଲିନ୍ ଦେଓଲ୍ (୨୭) ସହିତ ୪୬ ରନ୍ର ଭାଗୀଦାରି କରିଥିଲେ। କିନ୍ତୁ ଭାରତ ଦ୍ରୁତ ଗତିରେ ରାୱଲ୍, ଦେଓଲ୍ ଏବଂ ଅଧିନାୟକ ହରମନପ୍ରୀତ (୧୭)ଙ୍କ ୱିକେଟ୍ ହରାଇଥିଲା। ଭାରତ ୨୭.୧ ଓଭରରେ ୧୨୪ ରନ୍ ସଂଗ୍ରହ କରିଥିଲା ଏବଂ ୪ ୱିକେଟ୍ ହରାଇଥିଲା।
ଜେମିମା ରଡ୍ରିଗ୍ସ (୪୮) ଦୀପ୍ତି ଶର୍ମାଙ୍କ ସହ ୮୭ ରନର ଭାଗୀଦାରି କରିଥିଲେ। ଏହା ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲା। ରିଚା ଘୋଷ ଶୀଘ୍ର ଆଉଟ୍ ହୋଇଥିଲେ। କିନ୍ତୁ, ଦୀପ୍ତି (୬୨) ଏବଂ ଅମନଜୋତ କୌର (୨୦) ମିଶି ଭାରତକୁ ଚାରି ୱିକେଟରେ ବିଜୟୀ କରାଇଥିଲେ। ଭାରତ ୧୦ ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା।
ଚାର୍ଲି ଡିନ୍ (୨/୫୨) ଇଂଲଣ୍ଡର ସବୁଠାରୁ ସଫଳ ବୋଲର ଥିଲେ। କେଟ୍ କ୍ରସ୍, ଏକ୍ଲେଷ୍ଟୋନ୍ ଏବଂ ଲରେନ୍ ଫିଲର ପ୍ରତ୍ୟେକେ ଗୋଟିଏ ୱିକେଟ ପାଇଥିଲେ। ସ୍ନେହ ରାଣା ଚମତ୍କାର ବୋଲିଂ କରିଥିଲେ ଏବଂ ଇଂଲଣ୍ଡର ଦୁଇ ଗୁରୁତ୍ୱପୂର୍ଣ୍ଣ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଥିଲେ। ସେ ଏମା ଲାମ୍ବ ଏବଂ ନାଟ୍ ସାଇଭର ବ୍ରଣ୍ଟଙ୍କ ୱିକେଟ ନେଇଥିଲେ। ତାଙ୍କ ବୋଲିଂ ଯୋଗୁଁ ଇଂଲଣ୍ଡ ଦଳ ଚାପରେ ପଡ଼ିଥିଲା ଏବଂ ସେମାନେ ବଡ଼ ସ୍କୋର କରିପାରି ନଥିଲେ।
ଦୀପ୍ତି ଶର୍ମା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ କଷ୍ଟକର ସମୟରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ। ତାଙ୍କର ଅପରାଜିତ 62 ରନର ଇନିଂସରେ ତିନୋଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା।
ସୂଚନାଯୋଗ୍ୟ, ଇଂଲଣ୍ଡ ଓ ଭାରତ ମଧ୍ୟରେ ନିକଟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯାଇଥିଲା। ଭାରତ ଏହି ଶୃଙ୍ଖଳାକୁ ୩-୨ରେ ବିଜୟ ହାସଲ କରିଥିଲା। କିନ୍ତୁ ଭାରତୀୟ ଦଳ ଶୃଙ୍ଖଳାର ଶେଷ ମୁକାବିଲାରେ ଇଂଲଣ୍ଡ ଠାରୁ ୫ୱିକେଟ୍ରେ ପରାସ୍ତ ହୋଇଥିଲେ। ଏହି ପରାଜୟ ପରେ ଭାରତୀୟ ଦଳ ଦୃଢ଼ତାର ସହିତ ଦିନିକିଆ ଶୃଙ୍ଖଳାରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ମୁକାବିଲାରେ ବିଜୟ ହାସଲ କରି ବର୍ମିଂହାମରେ ପରାଜୟର ପ୍ରତିଶୋଧ ନେଇଛନ୍ତି।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି