ଜୟପୁର: ରାଜସ୍ଥାନର ଭରତପୁରରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସରକାରୀ ଡାକ୍ତର କାର ଭିତରେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଡାକ୍ତରଙ୍କ କାର ନିୟନ୍ତ୍ରଣ ବାହାରକୁ ଯାଇ ଏକ ଡାଏଗ୍ନୋଷ୍ଟିକ୍ ସେଣ୍ଟର (ଦୋକାନ) ଉପରେ ଧକ୍କା ଦେଇଥିଲା। ଏହା ପରେ କାରରୁ ଧୂଆଁ ବାହାରିବାକୁ ଲାଗିଲା। କାର ଦୋକାନରେ ଫସି ରହିଥିବାରୁ ଫାଟକ ଖୋଲାଯାଇ ପାରିଲା ନାହିଁ ଏବଂ ସେ କାର ଭିତରେ ହିଁ ଜଳିଗଲେ।
ମୃତକ ହେଲେ ସୱାଇ ମାଧୋପୁର ଜିଲ୍ଲାର ବିନୋଦ ମୀନା (୪୦)। ସେ ଗତ ପାଞ୍ଚ ବର୍ଷ ଧରି ଭୁସାଭର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଜେନେରାଲ ଫିଜିସିଆନ୍ ଭାବରେ ନିଯୁକ୍ତ ଥିଲେ। ଏହି ଘଟଣା ଶନିବାର ରାଜସ୍ଥାନର ଭରତପୁର ଜିଲ୍ଲାର ଭୁସାଭରରେ ଘଟିଛି। ତାଙ୍କ ସ୍ତ୍ରୀ ବାଂସୱାଡ଼ା ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଏବଂ ସେମାନଙ୍କର ଦେଢ଼ ବର୍ଷର ପୁଅ ଅଛି।
ଭୁସାଭର ଏସଏଚଓ ନରେଶ କୁମାର କହିଛନ୍ତି, ମୀନା ଶନିବାର ସନ୍ଧ୍ୟାରେ ୱେୟାର ସହର ଅଭିମୁଖେ ଯାଉଥିବା ସମୟରେ ତାଙ୍କ କାର ନିୟନ୍ତ୍ରଣ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ଥିବା ଏକ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ଧକ୍କା ଦେଇଥିଲା। ଗାଡିଟି କେନ୍ଦ୍ର ଭିତରେ ଫସି ଯାଇଥିଲା, ଯାହା ଫଳରେ ଦ୍ୱାର ଖୋଲିବା କଷ୍ଟକର ହୋଇପଡୁଥିଲା। ଗାଡିରୁ ଧୂଆଁ ବାହାରିବାକୁ ଲାଗିବା ମାତ୍ରେ ମୀନା ଏହାକୁ ପଛକୁ ଫେରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାଡିଟି ପଛ କାନ୍ଥରେ ପିଟି ହୋଇଗଲା, ଯାହା ଫଳରେ ନିଆଁ ଲାଗି ଯାଇଥିଲା।
ପାଖରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସ ମୀନା ଜଳିଯାଇ ମୃତ୍ୟୁବରଣ କରିଥିଲେ। କାରଣ ନିଆଁ ଦ୍ରୁତଗତିରେ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ଉତ୍ତର ଭାରରେ ସୃଷ୍ଟି ହୋଇପାରେ ଅଂଶୁଘାତ ପରିସ୍ଥିତି