ପ୍ୟାରିସ: ବିଶ୍ୱର ସବୁଠାରୁ ଧନୀ କୋଟିପତି ଏଲୋନ ମସ୍କଙ୍କ ଉପରେ ବଡଧରଣର ମନ୍ତବ୍ୟ ଦେଇଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବାଇରୁ। ସେ ସୋମବାର କହିଛନ୍ତି ଯେ ଏଲନ୍ ମସ୍କ ଗଣତନ୍ତ୍ର ପାଇଁ ବିପଦ। ନିକଟରେ ଏଲନ୍ ମସ୍କ କାନାଡା, ବ୍ରିଟେନ ଓ ଜର୍ମାନୀ ସରକାରଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ ଏବେ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହେବାକୁ ଯାଉଛି।
ଏକ ଟିଭି ସାକ୍ଷାତକାରରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଲନ୍ ମସ୍କ ଗଣତନ୍ତ୍ର ପାଇଁ ବିପଦ। ଶାସନ କରିବାର ଅଧିକାର ଅର୍ଥର ବିବେକ ଅନୁଯାୟୀ ଦିଆଯିବା ଉଚିତ୍ ନୁହେଁ। କିଛି ଦିନ ତଳେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟ୍ରମ୍ପଙ୍କ ନୀତି ବିରୋଧରେ ୟୁରୋପ ଓ ଫ୍ରାନ୍ସକୁ ଠିଆ ହେବାକୁ ପଡ଼ିବ। ଯଦି ଆମେ ଏହା ନ କରିବୁ, ତେବେ ଆମର ଆଧିପତ୍ୟ ଭାଙ୍ଗିଯିବ।
ସ୍ପେସ୍ ଏକ୍ସ, ଟେସ୍ଲା ଓ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ହେଉଛନ୍ତି ଏଲନ୍ ମସ୍କ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ନିର୍ବାଚନ ଜିତିବା ପରେ ଟ୍ରମ୍ପ ମସ୍କଙ୍କୁ ସରକାରୀ ବିଭାଗର ମୁଖ୍ୟ କରିଛନ୍ତି। ସରକାରୀ ଖର୍ଚ୍ଚ କାଟିବା ଓ ଚାକିରି ଛାଡିବା ଦାୟିତ୍ୱ ମସ୍କଙ୍କୁ ଦିଆଯାଇଛି।
କିନ୍ତୁ ଦୀର୍ଘ ଦିନ ଧରି ଏଲନ୍ ମସ୍କ ବିଶ୍ୱର ଅନେକ ଦେଶର ରାଜନୀତିରେ ହସ୍ତକ୍ଷେପ କରି ଆସୁଛନ୍ତି। ଫେବ୍ରୁଆରି ନିର୍ବାଚନ ପୂର୍ବରୁ ଏଲନ୍ ମସ୍କ ଜର୍ମାନୀର ଇମିଗ୍ରେସନ ବିରୋଧୀ ଦଳକୁ ସମର୍ଥନ କରିଛନ୍ତି। ବ୍ରିଟେନରେ ସେ ପାକିସ୍ତାନ ଗ୍ରୁମିଂ ଗ୍ୟାଙ୍ଗ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ଇସ୍ତଫା ଦାବି କରିଥିଲେ।
ଏଲନ୍ ମସ୍କ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ବ୍ୟକ୍ତି। ଅନେକ ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଏଲନ୍ ମସ୍କ ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅଣ-ନିର୍ବାଚିତ ବ୍ୟକ୍ତି । ସେ ଯାହା କହୁଛନ୍ତି ତାହାର ପ୍ରଭାବ ବିଶ୍ୱ ଉପରେ ପଡିଥାଏ । କିନ୍ତୁ ମସ୍କଙ୍କ ହସ୍ତକ୍ଷେପକୁ ଅନେକ ଦେଶ ପସନ୍ଦ କରୁନାହାନ୍ତି।