ହାଇଦ୍ରାବାଦ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୟଙ୍କର ବନ୍ୟାରେ ଜୀବନହାନୀ ଓ ବ୍ୟାପକ ବାଧା ସୃଷ୍ଟି ଦେଖାଯାଇଛି। ଗତ କିଛି ଦିନ ଧରି ଉଭୟ ରାଜ୍ୟ ଲଗାଣ ବର୍ଷା ଲୋକେ ଜୀବନ ସହିତ ସଂଘର୍ଷ କରୁଛନ୍ତି, ଯାହା ଫଳରେ ନଦୀଗୁଡିକ ଫୁଲିବା ସହ ହାଇଦ୍ରାବାଦ ଏବଂ ବିଜୟୱାଡା ଭଳି ସହର ସମେତ ବିଶାଳ ଅଞ୍ଚଳ ଜଳମଗ୍ନ ହୋଇଛି।
ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ଏ ରେବନ୍ତ ରେଡ୍ଡୀ ଏବଂ ଏନ ଚନ୍ଦ୍ରବାବୁ ନାଇଡୁ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ଆକଳନ କରିବା ସହ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସହାୟତା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସେପ୍ଟେମ୍ବର ୨ ତାରିଖରେ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରବଳ ବର୍ଷା ଓ ଅନେକ ସ୍ଥାନରେ ଟ୍ରାକ୍ରେ ପାଣି ଜମି ରହିଥିବାରୁ ୯୯ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୪ଟି ଆଂଶିକ ବାତିଲ ହୋଇଥିବା ବେଳେ ୫୪ଟି ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି ବୋଲି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସ୍ସିଆର) ପକ୍ଷରୁ କୁହାଯାଇଛି।
ରବିବାର ହାଇଦ୍ରାବାଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତେଲେଙ୍ଗାନାରେ ପୃଥକ ବର୍ଷାଜନିତ ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଏକ ଜରୁରୀ କାଳୀନ ବୈଠକ ଡାକିଛନ୍ତି। ଆନ୍ଧ୍ର ପ୍ରଦେଶରେ ବର୍ଷାଜନିତ ମୃତ୍ୟୁ ୮ରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶରେ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଟେଲିକନଫରେନ୍ସିଂ ଆଲୋଚନା କରିବା ସହ ପୌର ପ୍ରଶାସନ, ଶକ୍ତି, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କହିଛନ୍ତି। ଜିଲ୍ଲାପାଳ, ଏସପି, ରାଜସ୍ୱ, ଜଳସେଚନ ଓ ମହାନଗର ନିଗମ ଅଧିକାରୀଙ୍କୁ ବନ୍ୟା ପ୍ରଭାବିତ ବସ୍ତି ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ତୁରନ୍ତ ରିଲିଫ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଯିବେ ସିଙ୍ଗାପୁର: ସେମି କନଡକ୍ଟରକୁ ନେଇ ହେବ ଚୁକ୍ତି