ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ଜାରି ରହିଛି। ଏପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ପରେ ଆସନ୍ତା ୪ ତାରିଖ ଦିନ ମତଗଣନା ହେବ। ଏହା ପୂର୍ବରୁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଭଲ ଖବର ଆସିଛି, ଯାହାକି ଦେଶର ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରିବ। ଏହି ଭଲ ଖବର ଭାରତୀୟ ସେୟାର ବଜାର ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ସଂପର୍କିତ।
ସର୍ବପ୍ରଥମେ ସେୟାର ବଜାର କଥା କହିବା । ନିର୍ବାଚନ ପୂର୍ବରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ୫୨ ସପ୍ତାହରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ସେନ୍ସେକ୍ସ ସହିତ ନିଫ୍ଟି ମଧ୍ୟ ଇତିହାସ ରଚିଛି। ନିଫ୍ଟି୫୦ ଉଚ୍ଚ ସ୍ତରରେ ପହଞ୍ଚିଛି। ଏହା ୨୨,୯୯୭.୬୫ ପଏଣ୍ଟରେ ପହଞ୍ଚିଛି।
ସେନ୍ସେକ୍ସ ଓ ନିଫ୍ଟ ଭଳି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ମଙ୍ଗଳବାର ଇତିହାସ ରଚିଥିଲା। ବିଏସ୍ଇ ମାର୍କେଟ କ୍ୟାପ୍ ପ୍ରଥମ ଥର ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏଥି ସହିତ ବିଶ୍ୱରେ ଭାରତ ୫ମ ଦେଶ ହୋଇପାରିଛି। ଏହା ପୂର୍ବରୁ ଆମେରିକା, ଚୀନ, ଜାପାନ ଓ ହଂଗକଙ୍ଗ ସେୟାର ବଜାର ଭଲ ସ୍ଥିତିରେ ଅଛି।
ଚତୁର୍ଥ ଭଲ ଖବର ହେଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବର୍ଷ ଭଲ ବ୍ୟବସାୟ କରିଛି। ପୂର୍ବରୁ ଆରବିଆଇ ନିଜର ବୁଲେଟିନ ଜାରି କରିଥିଲା। ଆରବିଆଇ କହିଥିଲା ଯେ, ଗ୍ରାମାଞ୍ଚଳରେ ଅର୍ଥବ୍ୟବସ୍ଥାର ବଢ଼ିଥିବା ଚାହିଦା ଯୋଗୁଁ ଭାରତ ବିକାଶ ଆଡ଼କୁ ଅଗ୍ରଗତି କରୁଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବିକାଶ ହାରକୁ ନେଇ ପୂର୍ବାନୁମାନ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ମଧ୍ୟ ଏହାକୁ ସମର୍ଥନ ଜଣାଇଛି। ସଂଯୁକ୍ତ ରାଷ୍ଟ୍ର ୨୦୨୪ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାର ଗ୍ରୋଥ ଅନୁମାନ ୦.୭ ପ୍ରତିଶତ ବଢ଼ାଇ ୬.୯ କରିଥିଲା। ସଂଯୁକ୍ତ ରାଷ୍ଟ୍ରର ଗ୍ଲୋବାଲ ଇକୋନୋମିକ ମନିଟରିଂ ଶାଖାର ପ୍ରମୁଖ ହାମିଦ ରଶୀଦ କହିଛନ୍ତି ଭଲ ଆଉଟ୍ଲୁକ, କମ ରୋଜଗାର, ମଜବୁତ ରପ୍ତାନୀ ଓ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଅଗ୍ରସର ହେଉଛି।