କୁପୱାଡ଼ା: ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଭାରତୀୟ ସେନାର ଯବାନ ଓ ପାକିସ୍ତାନୀ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ଏନ୍କାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମଚ୍ଛଲ ସେକ୍ଟରସ୍ଥିତ କାମକାରୀରେ ସେନାର ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଆତଙ୍କବାଦୀ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ଉତ୍ତର କଶ୍ମୀରରେ ନିୟନ୍ତ୍ରଣ ରେଖାର ମଚ୍ଛଲ (କୁପୱାଡା) ସେକ୍ଟରରେ କିଛି ପାକିସ୍ତାନୀ ଆତଙ୍କବାଦୀମାନେ ଭାରତୀୟ ଭୂଭାଗକୁ ଅଗ୍ରସର ହେଉଥିବା ନେଇ ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଥିଲେ। ପାକିସ୍ତାନ ସେନାର ବୋର୍ଡର ଆକ୍ସନ ଟିମ୍ (ବାଟ୍)ର ସଦସ୍ୟମାନେ ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଥିଲେ। ଫଳରେ ସୁରକ୍ଷାବାହିନୀର ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ। କିଛି ସମୟ ପାଇଁ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା।
ପାକିସ୍ତାନୀ ସେନାର ବାଟ୍ ଟିମ୍ରେ ପାକିସ୍ତାନୀ ସେନାର କମାଣ୍ଡୋ ବ୍ୟତୀତ ଅଲ-ବଦର, ତହରୀକୁଲ ମୁଜାହିଦୀନ, ଲଶ୍କର ଓ ଜୈସ-ଇ ଅହମଦର ଆତଙ୍କବାଦୀମାନେ ସାମିଲ ଥିଲେ। ସେନାର ଗୁଳିରେ ଜଣେ ପାକିସ୍ତାନୀ ନିପାତ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମଚ୍ଛରରେ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି।
ସୁରକ୍ଷାବାହିନୀର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଶନିବାର ଭୋରରୁ ମଚ୍ଛଲ ସେକ୍ଟରରେ କୁମକାଡୀ ଅଗ୍ରିମ ଛକରେ ମୁତୟନ ଯବାନ କିଛି ଲୋକଙ୍କୁ ଛକ ଅଡ଼କୁ ଅଗ୍ରସର ହେଉଥିବା ଦେଖିଥିଲେ। ଯବାନମାନେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ଯବାନମାନଙ୍କର ସ୍ବର ଶୁଣିବା ମାତ୍ରେ ଅଚିହ୍ନା ଲୋକମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହା ପରେ ସେଠାରୁ ପଳାୟନ କରିବାକୁ ବାହାରିଥିଲେ। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା। ତେବେ ତିନି ଜଣ ଯବାନ ଆହତ ହୋଇଥିଲେ।