ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାର ପ୍ରଥମ ବିଜେପି ବିଧାୟକ ଆଉ ନାହାନ୍ତି। ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଆଜି ଭୋର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ରାମମୂର୍ତ୍ତି ଗମାଙ୍ଗଙ୍କ ନିକଟତର ସୂତ୍ର ପକ୍ଷରୁ ଏହା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।
ସୂଚନା ଅନୁସାରେ ରାମମୂର୍ତ୍ତି ଗମାଙ୍ଗ ଅସୁସ୍ଥ ଥିଲେ। ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଏମସ୍ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା ।
ସୂଚନାଯୋଗ୍ୟ ରାମମୂର୍ତ୍ତି ଗମାଙ୍ଗ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ। ସେ ସ୍ବର୍ଗତ ବିଜୁବାବୁଙ୍କ ନେତୃତ୍ୱରେ ରାଜନୀତିରେ ଯୋଗ ଦେଇଥିଲେ। ରାୟଗଡ଼ାରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକଟରୁ ଗୁଣପୁର ଆସନରୁ ବିଧାୟକ ହୋଇଥିଲେI ୨୦୦୦ ମସିହା ନିର୍ବାଚନରେ ରାମମୂର୍ତ୍ତି ବିଜେପିରେ ଯୋଗଦେଇ ବିଧାୟକ ଥିଲେ। ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ଶେଷ ବିଧାୟକ ଯିଏକି ବିଜେପି ଦଳରୁ ପ୍ରାର୍ଥୀ ହୋଇ ଗୁଣପୁରରୁ ନିର୍ବାଚିତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ୪ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ