ଶ୍ରୀନଗର: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ବାନ୍ଦିପୋରାର ଚୁଣ୍ଟାପାଥ୍ରୀ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
କୁପୱାଡା ଲୋଲାବରେ ମଧ୍ୟ ଏନକାଉଣ୍ଟର ଆରମ୍ଭ ହୋଇଛି। ଲୋଲାବରେ ଚାଲିଥିବା ଏନକାଉଣ୍ଟରରେ ୨ରୁ ୩ ଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଘେରାଉରେ ଫସି ରହିଛନ୍ତି। ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଙ୍ଗଲ ନିକଟରେ ଏହି ଏନକାଉଣ୍ଟର ଚାଲିଛି। ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚାଳନା କରୁଛନ୍ତି।
ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା, ଯାହା ପରେ ସୁରକ୍ଷାବାହିନୀ ଏହାର ଜବାବ ଦେଇଥିଲା। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସେନା ଯବାନ ଓ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅସ୍ତ୍ରୋପଚାର ଜାରି ରହିଛି।
ମଙ୍ଗଳବାର ପୁଲିସ ଜାଣିବାକୁ ପାଇଥିଲା ଯେ ବାନ୍ଦିପୋରାର କାଟସୁନରେ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ଯାହା ପରେ ପୁଲିସ ଓ ସେନାର ୨୬ ଜଣ ଆସାମ ରାଇଫଲ୍ସ ଯବାନ ସେମାନଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ।
ଯବାନମାନେ କାଟସୁନ ଗାଁକୁ ଘେରାଉ କରିବା ପରେ ଗାଁ ଉପକଣ୍ଠରେ ଥିବା ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ, ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ।
ଅଧିକାରୀଙ୍କ କହିବା ନୁସାରେ, ଆତଙ୍କବାଦ ବିରୋଧୀ ଅଭିଯାନ ଏବେ ବି ଜାରି ରହିଛି। ଏହା ସରିବା ପରେ ନିହତ ଆତଙ୍କବାଦୀଙ୍କ ପରିଚୟ ଜଣାପଡ଼ିବ। ଅନ୍ୟପକ୍ଷରେ କୁପଓ୍ଵାରା ଜିଲ୍ଲାର ହଣ୍ଡୱାରା ଅଞ୍ଚଳର ବଙ୍ଗମ ଚୌଗାଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀ ହେଲ୍ପରଙ୍କୁ ଗିରଫ କରିଛି। ଗିରଫ ଆଶିକ ହୁସେନ ୱାନି ବାରାମୁଲାର ସୋପୋର ଅଞ୍ଚଳର ବାସିନ୍ଦା। ତା' ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ୭ଟି ଗୁଳି ଜବତ ହୋଇଛି।
ଅଧିକ ପଢ଼ନ୍ତୁ: ଏଲ୍ଏସିରେ ଉତ୍ତେଜନା ଶେଷ କରିବା ପାଇଁ ଆମେ ଏକ ଚୁକ୍ତି କରିଛୁ