ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଦିନମଜୁରୀ କରି ପରିବାର ପୋଷୁଥିବା ଶ୍ରମିକମାନଙ୍କ ପାଇଁ ଭଲ ଖବର ଆସିଛି। ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଭି କେ ସକସେନ୍ ବଡ଼ ଘୋଷଣା କରିଛନ୍ତି। ସେ ଆଦେଶ ଦେଇଛନ୍ତି ଯେ, ଦିଲ୍ଲୀରେ ଏବେ ପ୍ରବଳ ଖରା ହେଉଛି। ଘରୁ ବାହାରକୁ ବାହାରିବା ବହୁ କଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରମିକମାନେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ କାମ କରିବେ ନାହିଁ। କିନ୍ତୁ ଏହି ୩ ଘଣ୍ଟା ବିଶ୍ରାମ ନେଲେ ବି ସେମାନଙ୍କୁ ସମାନ ପାରିଶ୍ରମିକ ମିଳିବ। ଅର୍ଥାତ ୩ ଘଣ୍ଟା କାମ କମ ପାଇଁ ପାରିଶ୍ରମିକ କମ୍ କରି ଦିଆଯିବ ନାହିଁ।
ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନାଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରମିକମାନଙ୍କ ପାଇଁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସବେତନ ଛୁଟି ରହିବ। ନିର୍ମାଣ ସ୍ଥଳରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ପଇଡ଼ ପାଣି ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବସ୍ଷ୍ଟାଣ୍ଡରେ ମଧ୍ୟ ମାଠିଆରେ ପାଣି ରଖିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଏବେ କିଛି ଦିନ ହେଲା ଦେଶରେ ଗ୍ରୀଷ୍ମଲହରି ଜାରି ରହିଛି। ରାଜସ୍ଥାନ, ପଂଜାବ, ହରିୟାଣା ସମେତ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି। ଦିଲ୍ଲୀରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିସାରିଛି।