ରାଞ୍ଚି, ମେ ୧୪ (ଖବର ଓଡ଼ିଶା): ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି । ରାତୁ ଥାନା ଅଞ୍ଚଳରେ ଅପହୃତାଙ୍କୁ ୫ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ୨୧ ବର୍ଷୀୟ ପୀଡିତା ଗୁରୁବାର ରାତି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଏକ କାରରେ କିଛି ଯୁବକ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ସେମାନେ ବଳପୂର୍ବକ ଯୁବତୀଙ୍କୁ କାର୍ ଭିତରକୁ ଉଠାଇ ନେଇଥିଲେ । ଅଭିଯୁକ୍ତମାନେ ରାତୁ ଥାନା ଅନ୍ତର୍ଗତ ଦଳାଦଳୀ ଛକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ କାରକୁ ଅଟକାଇ ସାମୁହିକ ଦୁଷ୍କର୍ମ କରିଥିଲେ । ରାତିରେ ପାଟ୍ରୋଲିଂରେ ନିୟୋଜିତ ପୋଲିସ ଟିମ୍ କାରକୁ ଚେକିଂ କରୁଥିବା ସମୟରେ ୫ ଜଣ ଯୁବକ ଆପତ୍ତିଜନକ ଭାବେ ଧରାପଡ଼ିଥିଲେ । କାର ଭିତରେ ବସିଥିବା ପୀଡିତା କାନ୍ଦୁଥିଲେ ।
ରାଞ୍ଚି ଏସ୍ପି (ଗ୍ରାମାଞ୍ଚଳ) ନୌଶାଦ ଆଲମ କହିଛନ୍ତି ଅଭିଯୁକ୍ତମାନେ ଦୁଷ୍କର୍ମ ନେଇ ସ୍ୱୀକାର କରିଛନ୍ତି । ଯୁବତୀ ସଡ଼କରେ ଏକାକୀ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତମାନେ ରାସ୍ତା ପଚାରିବାର ଆଳ ଦେଖାଇ କାର ଭିତରୁକୁ ନେଇ ଯାଇଥିଲେ ।