ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି (ଚାମ୍ପିୟନ୍ସ ଟ୍ରଫି ୨୦୨୫) ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧୦୦୦ ପାକିସ୍ତାନୀ ଟଙ୍କା ଧାର୍ଯ୍ୟ କରିଛି, ଯାହା କି ୩୧୦ ଭାରତୀୟ ଟଙ୍କା ସହ ସମାନ ହେବ। ପିସିବିର ଏକ ଆଭ୍ୟନ୍ତରୀଣ ଦସ୍ତାବିଜରେ ଏହା ଉଲ୍ଲେଖ କରାଯାଇଛି। ଦୁବାଇରେ ଖେଳାଯିବାକୁ ଥିବା ଭାରତୀୟ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ କ'ଣ ରହିବ ତାହା ସ୍ପଷ୍ଟ କରାଯାଇନାହିଁ। ଯଦି ଭାରତୀୟ ଦଳ ସେମିଫାଇନାଲ ଓ ଫାଇନାଲରେ ଖେଳିବ ତେବେ ତାହା ମଧ୍ୟ ଦୁବାଇରେ ଅନୁଷ୍ଠିତ ହେବ। ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଟିକେଟ ମୂଲ୍ୟ ଘୋଷଣା କରାଯାଇଛି। ଦସ୍ତାବିଜ ଅନୁଯାୟୀ, ପିସିବି କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧୦୦୦ ପାକିସ୍ତାନୀ ଟଙ୍କା ଧାର୍ଯ୍ୟ କରିଛି। ରାୱଲପିଣ୍ଡିରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୨୦୦୦ ପାକିସ୍ତାନୀ ଟଙ୍କା (୬୨୦ ଭାରତୀୟ ଟଙ୍କା) ଏବଂ ସେମିଫାଇନାଲ୍ ପାଇଁ ୨୫୦୦ ପାକିସ୍ତାନୀ ଟଙ୍କା (୭୭୬ ଭାରତୀୟ ଟଙ୍କା) ରହିବ।
ପିସିବି ସମସ୍ତ ମ୍ୟାଚ୍ ପାଇଁ ଭିଭିଆଇପି ଟିକେଟ୍ ର ମୂଲ୍ୟ ୧୨,୦୦୦ ପାକିସ୍ତାନୀ ଟଙ୍କା (୩,୭୨୬ ଭାରତୀୟ ଟଙ୍କା) ରଖିଥିବା ବେଳେ ସେମିଫାଇନାଲ୍ ପାଇଁ ଏହା ୨୫,୦୦୦ (୭,୭୬୪ ଭାରତୀୟ ଟଙ୍କା) ହେବ। କରାଚିର ପ୍ରିମିୟର ଗ୍ୟାଲେରୀ ପାଇଁ ଟିକେଟ ୩,୫୦୦ ପାକିସ୍ତାନୀ ଟଙ୍କା (୧,୦୮୬ ଭାରତୀୟ ଟଙ୍କା), ଲାହୋରରେ ୫,୦୦ (୧,୫୫୦ ଭାରତୀୟ ଟଙ୍କା) ଏବଂ ରାୱଲପିଣ୍ଡିରେ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ପାଇଁ ଟିକେଟ୍ ୭,୦୦୦ (୨,୧୭୦ ଭାରତୀୟ ଟଙ୍କା) ରହିଛି।
୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୧୯ତାରିଖରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମେତ ୬ଟି ଦେଶ ସେମାନଙ୍କ ଦଳ ଘୋଷଣା କରିଛନ୍ତି। ଭାରତ ସହ ଡିଫେଣ୍ଡିଂ ଚାମ୍ପିୟନ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଗ୍ରୁପ୍ 'ଏ'ରେ ଥିବା ବେଳେ ଗ୍ରୁପ୍ 'ବି'ରେ ଆଫଗାନିସ୍ତାନ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଏହି ୮ଟି ଦଳ ମଧ୍ୟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଏକ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ୍ ମଡେଲରେ ଦୁବାଇ ଓ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରେ କିମ୍ବା ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯିବ।
ଭାରତର କାର୍ଯ୍ୟସୂଚୀ
-ଫେବ୍ରୁଆରି ୨୦- ଭାରତ ବନାମ ବାଂଲାଦେଶ
-ଫେବ୍ରୁଆରି ୨୩- ଭାରତ ବନାମ ପାକିସ୍ତାନ
-ମାର୍ଚ୍ଚ ୨- ଭାରତ ବନାମ ନ୍ୟୁଜିଲାଣ୍ଡ