ନୂଆଦିଲ୍ଲୀ: ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାରୀ ବିଭାଗଗୁଡ଼ିକ ଦ୍ୱାରା ବୈଦ୍ୟୁତିକ ଯାନ ଗ୍ରହଣ କରିବା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୩୦ ସୁଦ୍ଧା ଏକ ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି। ବୁଧବାର ବିଚାରପତି ଅଭୟ ଏସ୍. ଓକା ଏବଂ ଉଜ୍ଜ୍ୱଳ ଭୂୟାଁଙ୍କ ଏକ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିକୁ ଏପ୍ରିଲ ସୁଦ୍ଧା ଏ ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି।
ଶୁଣାଣି ସମୟରେ, ଭାଟି କହିଥିଲେ ଯେ ବର୍ତ୍ତମାନ ଦିଲ୍ଲୀରେ ୬୦ ଲକ୍ଷ ଯାନବାହନ ସେମାନଙ୍କର ଆଇନଗତ ବୟସ ପୂରଣ କରିସାରିଛି, ଯେତେବେଳେ ଏନସିଆରରେ, ଆଇନଗତ ବୟସ ଅତିକ୍ରମ କରି ରାସ୍ତାରେ ଚାଲୁଥିବା ଯାନବାହନ ସଂଖ୍ୟା ପ୍ରାୟ ୨୫ ଲକ୍ଷରେ ପହଞ୍ଚିଛି।
ଏହା ଉପରେ ଡିଭିଜନ ବେଞ୍ଚ କହିଛନ୍ତି ଯେ ଏଏସ୍ଜି ଦିଲ୍ଲୀ-ଏନ୍ସିଆର ଅଞ୍ଚଳରେ ବହୁ ସଂଖ୍ୟକ ବେଆଇନ ଯାନବାହାନ ଚଳାଚଳ କରୁଥିବା ରିପୋର୍ଟ କରିଛି। ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ବିଚାର କରିବା ସହିତ ଆମେ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିବୁ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରିମୋଟ୍ ସେନ୍ସିଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ତିନି ମାସ ମଧ୍ୟରେ ଅଧ୍ୟୟନ ସମାପ୍ତ କରନ୍ତୁ। ଯାହା ଦ୍ଵାରା ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଡିଭିଜନ ବେଞ୍ଚ କହିଛନ୍ତି ଯେ ଏହି ଅଧ୍ୟୟନ ବୁଧବାର ଠାରୁ ତିନି ମାସ ମଧ୍ୟରେ ସମାପ୍ତ କରିବାକୁ ପଡିବ।
ଏହି ଗବେଷଣା ସମାପ୍ତ କରିବା ପାଇଁ ଭାରତ ସରକାର ଦଶରୁ ବାର ମାସ ସମୟ ମାଗିଛନ୍ତି। ଭାଟି କହିଛନ୍ତି ଯେ ଫାଷ୍ଟ ଟ୍ୟାଗ୍ ସିଷ୍ଟମ ଅସ୍ତିତ୍ୱରେ ଆସିଛି। ତେଣୁ ଏବେ ଅଧିକ ସମୟ ଆବଶ୍ୟକ। ସୁପ୍ରିମକୋର୍ଟ ୧୯୮୪ ମସିହାରୁ ଏମ୍ସି ମେହେଟା ମାମଲାରେ ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଉପରେ ନଜର ରଖି ଆସୁଛନ୍ତି।
ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ବଦନାମ ନ କରିବାକୁ କହିଲେ ବିଜେଡି ସୁପ୍ରିମୋ