ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜିଠାରୁ ଗ୍ରାମପଞ୍ଚାୟତ ସ୍ତରରେ ପ୍ରତି ଘଣ୍ଟାରେ ପାଣିପାଗ ଅପଡେଟ୍ ଦେବେ। ପଞ୍ଚାୟତିରାଜ ମନ୍ତ୍ରାଳୟ ଗୁରୁବାର ଗ୍ରାମପଞ୍ଚାୟତଗୁଡ଼ିକ ପାଇଁ ପାଣିପାଗ ପୂର୍ବାନୁମାନ ସେବାର ଶୁଭାରମ୍ଭ କରିବ। ଏହା ଅଧୀନରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୈନିକ ପାଣିପାଗ ପୂର୍ବାନୁମାନ ମିଳିବ। ପାଣିପାଗ ସତର୍କ ସୂଚନା ବଳରେ ଚାଷୀମାନେ ଫସଲକୁ ସୁରକ୍ଷିତ ରଖିପାରିବେ।
କୃଷି ଓ ବିପର୍ଯ୍ୟୟ ପରିଚାଳନାରେ ପାଣିପାଗ ପୂର୍ବାନୁମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସମୟରେ ପାଣିପାଗର ପୂର୍ବାନୁମାନ କଲେ ଚାଷୀମାନେ ସେମାନଙ୍କ ଫସଲକୁ ଭଲ ଭାବେ ପରିଚାଳନା କରିପାରିବେ। ସେହିଭଳି ପାଣିପାଗ ପୂର୍ବାନୁମାନ ବିପର୍ଯ୍ୟୟ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ପାଣିପାଗ ବିଭାଗର ସହଯୋଗରେ ଆରମ୍ଭ ହେବାକୁ ଥିବା ପାଣିପାଗ ପୂର୍ବାନୁମାନ ସେବା ଦ୍ୱାରା ଗ୍ରାମ ପଞ୍ଚାୟତଗୁଡିକ ଘଣ୍ଟା ପ୍ରତି ଭିତ୍ତିରେ ପାଣିପାଗ ପୂର୍ବାନୁମାନ ଯାଞ୍ଚ କରିବାରେ ସକ୍ଷମ ହେବେ ଏବଂ ଏହା ସମଗ୍ର ଦେଶର କୃଷକ ଏବଂ ଗ୍ରାମବାସୀମାନଙ୍କୁ ସିଧାସଳଖ ଉପକୃତ କରିବ। ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ସେବାର ଶୁଭାରମ୍ଭ ହେବ।
ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀର ଅଂଶ ସ୍ୱରୂପ ଏହି ପଦକ୍ଷେପ ତୃଣମୂଳ ଶାସନକୁ ସୁଦୃଢ଼ କରିବା, ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା, ଗ୍ରାମୀଣ ଜନସଂଖ୍ୟାକୁ ଅଧିକ ଜଳବାୟୁ ଅନୁକୂଳ କରିବା ଏବଂ ପରିବେଶ ଆହ୍ୱାନର ମୁକାବିଲା କରିବାରେ ସହାୟକ ହେବ। ପ୍ରଥମ ଥର ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ଉପଲବ୍ଧ ହେବ। ପାଣିପାଗ ବିଭାଗର ସମ୍ପ୍ରସାରିତ ସେନ୍ସର କଭରେଜ ଏହାକୁ ସମର୍ଥନ କରିବ।
ପାଣିପାଗ ପୂର୍ବାନୁମାନ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଡିଜିଟାଲ ପ୍ଲାଟଫର୍ମ - ଇ-ଗ୍ରାମସ୍ୱରାଜ, ମେରି ପଞ୍ଚାୟତ ଆପ୍ ଏବଂ ଗ୍ରାମ ମାନଚିତ୍ର ମାଧ୍ୟମରେ ପ୍ରସାରିତ ହେବ। ଏହି ପ୍ଲାଟଫର୍ମରେ ଗ୍ରାମ ପଞ୍ଚାୟତଗୁଡ଼ିକ ତାପମାତ୍ରା, ବୃଷ୍ଟିପାତ, ପବନର ବେଗ ଏବଂ ମେଘ ଆଚ୍ଛାଦନ ସମ୍ପର୍କରେ ଦୈନିକ ସୂଚନା ପାଇବେ। ଏହା ଦ୍ୱାରା କୃଷକମାନେ ବୁଣିବା, ଜଳସେଚନ ଏବଂ ଅମଳ କାର୍ଯ୍ୟର ଯୋଜନା କରିବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହାୟକ ହେବେ।
ଅଧିକ ପଢ଼ନ୍ତୁ: ଲ୍ୟାଣ୍ଡ୍ଫଲ୍ ପରେ ସାମାନ୍ୟ ଦିଗ ବଦଳାଇବ ‘ଦାନା’