ଫିରୋଜାବାଦ: ଲକ୍ଷ୍ନୌ ଏକ୍ସପ୍ରେସୱେରେ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାନପୁରରୁ ଗୁରୁଗ୍ରାମ ଯାଉଥିବା ଏକ ବସ୍ ମାଟସେନା ଥାନା ଅଞ୍ଚଳର ମାଇଲଷ୍ଟୋନ୍ ୪୬ରେ ଆଗକୁ ଥିବା ଏକ କଣ୍ଟେନର ସହିତ ଧକ୍କା ହୋଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ଟି ଓଲଟି ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିବା ଏବଂ ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ପହଞ୍ଚିଥିଲେ। ବହୁ ଚେଷ୍ଟା ପରେ ପାଞ୍ଚଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଥିଲା। ଷ୍ଟିଅରିଂ ଚକରେ ଫସି ରହିବା ପରେ ବସ୍ ଡ୍ରାଇଭର ଶମ୍ଭୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ବସ୍ରେ ଥିବା ଦୁଇ ଡଜନ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଏଥିରେ ମୋଟ ୩୦ ଜଣ ଯାତ୍ରୀ ଥିଲେ।
ଖବର ପାଇବା ମାତ୍ରେ ଏସ୍ ପି ସିଟି ରବି ଶଙ୍କର ପ୍ରସାଦ, ସିଓ ତେଜସ ତ୍ରିପାଠୀ ଏବଂ ସିଏଫଓ ସତ୍ୟେନ୍ଦ୍ର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନା ଅନୁଯାୟୀ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦ୍ରୁତ ଗତିରେ ଏବଂ ରାତିର ଅନ୍ଧାରରେ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥାଇପାରେ।
ଆହୁରି ପଢ଼ନ୍ତୁ: ଉତ୍ତର ଭାରତକୁ ଗ୍ରାସ କରିଛି ଗ୍ରୀଷ୍ମଲହରି