ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ।
ବାଂଲାଦେଶ ୧୯୭୧ ଗଣହତ୍ୟା ପାଇଁ ପାକିସ୍ତାନଠାରୁ ଆନୁଷ୍ଠାନିକ କ୍ଷମା ମାଗିବାକୁ ଦାବି କରିଛି। ରବିବାର ଢାକାରେ ଅନୁଷ୍ଠିତ ଏକ ଦ୍ୱିପାକ୍ଷିକ ବୈଠକରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ସମ୍ମୁଖରେ ଏହି ଦାବି ରଖିଛନ୍ତି। ବୈଠକ ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୧୯୭୧ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଗଣହତ୍ୟା ପାଇଁ ଆନୁଷ୍ଠାନିକ କ୍ଷମା ମାଗ, ସମ୍ପତ୍ତିର ବିଭାଜନ, ୧୯୭୦ ମହାବାତ୍ୟା ପୀଡିତଙ୍କ ପାଇଁ ଦିଆଯାଇଥିବା ବୈଦେଶିକ ସହାୟତା ହସ୍ତାନ୍ତର ଏବଂ ଫସି ରହିଥିବା ପାକିସ୍ତାନୀମାନଙ୍କୁ ସ୍ୱଦେଶ ଫେରାଇବା ଭଳି ଦୀର୍ଘ ଦିନ ଧରି ପଡ଼ି ରହିଥିବା ଐତିହାସିକ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ କରାଯିବା ଆବଶ୍ୟକ। ଏଗୁଡ଼ିକର ସମାଧାନ ଦ୍ୱାରା ହିଁ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କର ମୂଳଦୁଆ ସ୍ଥାପନ କରାଯାଇପାରିବ।
ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଅଗଷ୍ଟ ୨୩ ରୁ ୨୪ ପର୍ଯ୍ୟନ୍ତ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଥିଲେ। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତାଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହୋଇଥିଲା। ଏହି ସମୟରେ, ଡାର ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ଭେଟିଥିଲେ।
ଏହି ଗସ୍ତ ସମୟରେ ଦୁଇ ଦେଶ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ରବିବାର ଅପରାହ୍ନରେ ଢାକାରେ ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଉପସ୍ଥିତ ଥିଲେ।
ଚୁକ୍ତି କ’ଣ ଥିଲା?
ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ସରକାରୀ ଏବଂ କୂଟନୈତିକ ପାସପୋର୍ଟ ଧାରକଙ୍କ ପାଇଁ ଭିସା ଛାଡ଼ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ପାଞ୍ଚଟି ବୁଝାମଣାପତ୍ରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ, ସାଂସ୍କୃତିକ ଆଦାନପ୍ରଦାନ, ବୈଦେଶିକ ସେବା ଏକାଡେମୀ ମଧ୍ୟରେ ସହଯୋଗ, ରାଷ୍ଟ୍ରାୟତ୍ତ ସମାଚାର ଏଜେନ୍ସି ମଧ୍ୟରେ ସହଯୋଗ ଏବଂ ବାଂଲାଦେଶ ଇଣ୍ଟରନ୍ୟାସନାଲ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟ୍ ଏବଂ ପାକିସ୍ତାନର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟ୍ ଇସଲାମାବାଦ ମଧ୍ୟରେ ସହଯୋଗ ଅନ୍ତର୍ଭୁକ୍ତ।
ପାକିସ୍ତାନର ବାଣିଜ୍ୟ ମନ୍ତ୍ରୀ ଜାମ୍ କମଲ୍ ଖାନ ଏବଂ ବାଂଲାଦେଶର ବାଣିଜ୍ୟ ପରାମର୍ଶଦାତା ଏସ୍କେ ବଶିର ଉଦ୍ଦିନ ଢାକାରେ ଆଲୋଚନା କରିଥିଲେ। ଆଲୋଚନାର ଲକ୍ଷ୍ୟ ଥିଲା ଆର୍ଥିକ ସହଯୋଗ, ପାରସ୍ପରିକ ନିବେଶ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ କରିବା।
ଅଧିକ ପଢ଼ନ୍ତୁ: ଶୁଳ୍କ ଚାପ ଆଗରେ ମୁଣ୍ଡ ନୁଆଁଇବନି ଭାରତ