ଢାକା: ବାଂଲଶଦେଶରେ ଜାରିଥିବା ହିଂସା ପ୍ରଦର୍ଶନ ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ଫଇସଲା ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସରକାରୀ ଚାକିରିର ଆବେଦକଙ୍କ ପାଇଁ ବିବାଦସ୍ପଦ ସଂରକ୍ଷଣ ପ୍ରଣାଳୀ ହ୍ରାସ କରିଛନ୍ତି। ଏହି ସଂରକ୍ଷଣ ନେଇ ଦେଶବ୍ୟାପୀ ଅଶାନ୍ତି ଦେଖାଯାଇଥିଲା। ଏଥି ସହିତ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସା ଦେଖାଯାଇଥିଲା।
ସୁ୍ପ୍ରିମକୋର୍ଟ ନିଜର ରାୟରେ ୯୩ ପ୍ରତିଶତ ସରକାରୀ ଚାକିରିକୁ ଯୋଗ୍ୟତା ଆଧାରିତ ପ୍ରଣାଳୀର ଆଧାରରେ ଆବଣ୍ଟିତ କରିବାକୁ ଆଦେଶ ଦେଇଛନ୍ତି। ବାକି ୭ ପ୍ରତିଶତ ଚାକିରି ୧୯୭୧ରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ଜୀବନ ହରାଇଥିବା ସଂଗ୍ରାମୀଙ୍କ ପରିବାର ଏବଂ ଅନ୍ୟ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ରହିବ ବୋଲି କହିଛନ୍ତି। ଏହା ପୂର୍ବରୁ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା।
ତେବେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦେଶରେ କିଛି ଦିନ ହେଲଶ ହିଂସା ଦେଖାଯାଇଥିଲା। ଏହି କାରଣରୁ ଦେଶରେ କର୍ଫ୍ୟୁ ଜାରି କରିଦିଆଯାଇଛି। ଦେଶରେ କର୍ଫ୍ୟୁ ଲାଗୁ ହେବା ପରେ ସରକାର ଶୁଟ୍ ଆଣ୍ଡ ସାଇଟ୍ ନିର୍ଦ୍ଦେଶ ଦେଇଥିଲେ। ହିଂସାରେ ନିୟୋଜିତ ଲୋକଙ୍କୁ ଗୁଳି କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଛାତ୍ରମାନଙ୍କର ଆନ୍ଦୋଳନ ପୂରା ଦେଶକୁ ବ୍ୟାପିଛି।
କିଛି ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ଯୋଗୁଁ ଏପର୍ଯ୍ୟନ୍ତ ୧୩୩ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସାରିଛି। ୩୦୦୦ରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ପ୍ରଦର୍ଶନକାରୀମାନେ ଠେଙ୍ଗା-ବାଡ଼ି ଓ ପଥର ଧରି ରାସ୍ତାରେ ବୁଲୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଶେଖ ହାସୀନଙ୍କ ନେତୃତ୍ବରେ ପରିଚାଳିତ ସରକାର ଆଇନ-ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛି।
ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ବସ୍, ଟ୍ରେନ୍ ଓ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି। ହିଂସା ନିୟନ୍ତ୍ରଣ ପାଇଁ ସରକାର ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖିଛନ୍ତି। ସ୍କୁଲ, କଲେଜ ସହିତ ମଦ୍ରାସା ମଧ୍ୟ ଅନିଶ୍ଚିତକାଳ ପାଇଁ ବନ୍ଦ କରିଛନ୍ତି। ପୂରା ଦେଶରେ ସେନାକୁ ରାଜରାସ୍ତାରେ ମୁତୟନ କରାଯାଇଛି।