ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ବାଲୁଚ୍ ଲିବରେସନ୍ ଆର୍ମି ଶନିବାର ଦିନ ‘ଅପରେସନ୍ ହେରୋଫ୍’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାର ଘୋଷଣା କରିଛି। ଏହି ଅଭିଯାନ ଅନ୍ତର୍ଗତ ବିଦ୍ରୋହୀମାନେ ୪୮ଟି ପାକିସ୍ତାନୀ ସାମରିକ ଘାଟି ଉପରେ ଏକକାଳୀନ ଆକ୍ରମଣ କରିଥିଲେ। ପାକିସ୍ତାନ ସେନା ଏବଂ ପୋଲିସ ହେଉଛି ବିଏଲ୍ଏର ଟାର୍ଗେଟ। ବିଏଲ୍ଏ ଦାବି କରିଛି ଯେ ୮୪ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ବିଏଲ୍ଏ ମୁଖପାତ୍ର ଜିଆଣ୍ଡ ବାଲୁଚ୍ ଏହାକୁ ଦଖଲକାରୀ ବାହିନୀ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପ୍ରତିରୋଧ ଭାବରେ ବର୍ଣ୍ଣନା କରିଛନ୍ତି। ବିଏଲ୍ଏ ଅଗଷ୍ଟ ୨୦୨୪ ଶେଷ ଭାଗରେ ‘ଅପରେସନ୍ ହେରୋଫ୍’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ବେଲୁଚିସ୍ତାନରେ ପ୍ରମୁଖ ରାଜପଥ ଏବଂ ସେନା ଶିବିର ଉପରେ ଆକ୍ରମଣ କରିବା।
ଅନ୍ୟପକ୍ଷରେ ବେଲୁଚିସ୍ତାନ ସରକାର ୭୦ ଜଣ ବିଦ୍ରୋହୀଙ୍କୁ ହତ୍ୟା କରିଥିବା ଦାବି କରିଛି। ସରକାର କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ, ବିଦ୍ରୋହୀମାନେ ୧୨ଟି ସ୍ଥାନରେ ସୁରକ୍ଷା ବାହିନୀ, ସରକାରୀ ସଂସ୍ଥା ଏବଂ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଥିଲେ। ଏହି ଅଭିଯାନରେ ଦଶ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନୀ ସୁରକ୍ଷା ବାହିନୀ ପଞ୍ଜଗୁର ଏବଂ ହରନାଇରେ ଅପରେସନରେ ୪୧ ଜଣ ଲଢ଼ୁଆଙ୍କୁ ହତ୍ୟା କରିବା ପରେ ବିଦ୍ରୋହୀମାନେ ଏହି ଅଭିଯାନ ଆରମ୍ଭ କରିଥିଲେ।
ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଶାହିଦ ରିନ୍ଦ କହିଛନ୍ତି ଯେ କ୍ୱେଟା, ଗ୍ୱାଦର, ମକ୍ରମ, ହବ୍, ଚମନ ଏବଂ ନାସିରାବାଦ ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ପୋଲିସ, ସୀମା ସୁରକ୍ଷା ବଳ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଛି। ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏକ ପୋଷ୍ଟରେ କହିଛନ୍ତି ଯେ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଶନିବାର ସନ୍ଧ୍ୟାରେ ଜାରି ରହିଛି। ଜଣେ ସଂଘୀୟ ମନ୍ତ୍ରୀ କହିଛନ୍ତି ଯେ ବିଏଲ୍ଏ ଲଢ଼ୁଆମାନେ ଗ୍ୱାଦରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର ଜିଓ ନ୍ୟୁଜକୁ କହିଛନ୍ତି ଯେ ବିଦ୍ରୋହୀମାନେ ଆକ୍ରମଣ କରିବା ସମୟରେ ସୁରକ୍ଷା ବାହିନୀ ସତର୍କ ଥିଲେ ଏବଂ ଆକ୍ରମଣକୁ ପଣ୍ଡ କରିଥିଲେ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ହିଂସା ଜାରି: ଦୁଇ ମାସ ମଧ୍ୟରେ ୧୭ ଜଣ ହିନ୍ଦୁଙ୍କୁ ହତ୍ୟା